ଭଦ୍ରକ – ଏହି ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ମୁକୁନ୍ଦପୁର ପଂଚାୟତର ନାଗରାପିଟା ନାଳରେ ବର୍ଷାଜଳ ଜମି ପାଂଚଦିନ ଧରି ଏହା ନିଷ୍କାସନ ହୋଇନପାରିବା କାରଣରୁ ସ୍ଥାନୀୟ ଅଂଚଳର ପ୍ରାୟ ୮ ଶହ ହେକ୍ଟର ଚାଷଜମି ନଷ୍ଟ ହେବାର ଅଭିଯୋଗ ପରେ ବିଭାଗୀୟ ପଦାଧିକାରୀଙ୍କ କ୍ଷେତ୍ରୀୟ ତଦନ୍ତ ଆରମ୍ଭ ହୋଇଛି । ଏବଂ ନାଳର ଦଳ ସଫା କାର୍ଯ୍ୟ ଶ୍ରମିକମାନଙ୍କ ଦ୍ୱାରା କରାଯାଇଛି । ଡ୍ରେନେଜ୍ ବିଭାଗ ଏସ୍ଡିଓ ନରେନ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ରବିନ୍ କୁମାର ପରମାଣିକ, ସ୍ଥାନୀୟ ସରପଂଚ କୀର୍ତନ ରାଉତ, ହିମାଦ୍ରି ରାଉତରାୟ, ଗଣେଶ ପ୍ରସାଦ ନାୟକ, ରଂଜନ ନାୟକ ପ୍ରମୁଖ ଏହି କାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ । ଜରୁରୀକାଳୀନ ପରିସ୍ଥିତିରେ ସାମୟିକ ଭାବେ ଏହି ନାଳ ସଫା କରାଯାଉଥିଲାବେଳେ ଆସନ୍ତା ୨ ମାସ ପରେ ଏହି ନାଳର ପୁନରୁଦ୍ଧାର କରାଯିବା କ୍ଷେତ୍ରରେ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବ ବୋଲି ଏସ୍ଡିଓ ଶ୍ରୀ ମହାନ୍ତି ଚାଷୀମାନଙ୍କୁ ସୂଚନା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଗତ ସପ୍ତାହରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର ଅଂଚଳ ଜଳାର୍ଣ୍ଣବ ହୋଇପଡିଥିଲା । କିନ୍ତୁ ଜଂଗଲି ଦଳ ଯୋଗୁଁ ନାଗରା ନାଳର ଜଳ ନିଷ୍କାସନରେ ବାଧା ଉପୁଜିଥିଲା । ଏହି ନାଳ ମୁକୁନ୍ଦପୁରରୁ ବାହାରି ଭାଟପଡା, କାଁପଡା, ଫତେପୁର, କୋହ୍ଲ ଓ ବାରସର ପଂଚାୟତ ପର୍ଯ୍ୟନ୍ତ ବ୍ୟାପିଥିବାବେଳେ ଏହାଯୋଗୁଁ ବିଶେଷକରି ଗୁଡୁପାଳ, ବିଦ୍ୟାଧରପୁର, ମୁକୁନ୍ଦପୁର, ଆରସା, ଭାଟପଡା, ବଉଳପାଳ, ଶଂଖିଡା ଓ ପାଟଣାସାହି ଗ୍ରାମର ପ୍ରାୟ ୮ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବିଭିନ୍ନ ବ୍ୟାଙ୍କ ଓ ଘରୋଇ ଋଣକରି ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଧାନ ଚାଷ କରିଥିବାବେଳେ ଥୋଡ ଆସୁଥିବା ସମୟରେ ଏଭଳି ଜଳମଗ୍ନ ସମସ୍ୟା ସେମାନଙ୍କୁ ଚିନ୍ତାରେ ପକାଇଛି । ଏଥିନେଇ ସ୍ଥାନୀୟ ଅଂଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ଚଳିିତବର୍ଷ ଆରମ୍ଭରୁ ଡ୍ରେନେଜ୍ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଇଥିବାବେଳେ ତଦନ୍ତ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଯାହାଫଳରେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଥିଲା । ତେବେ ଏହି ନାଳରୁ ଜଳ ନିଷ୍କାସନ କରାନଗଲେ ଥୋଡ ଧାନ ନଷ୍ଟ ହେବାର ସମ୍ଭାବନା ନେଇ ଚାଷୀମାନେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବାସୁଦେବପୁର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
Related Stories
November 25, 2024