-
ଏସଟିଏଫର ଚଢ଼ଉ
-
ପୁଣି ବାଘ ଛାଲ ଜବତ, ଜଣେ ଗିରଫ
ବୌଦ୍ଧ, ବୌଦ୍ଧ ଜିଲାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟପ୍ରାଣୀ । ଲଗାତାର ବନ୍ୟପ୍ରାଣୀମାନଙ୍କୁ ଶିକାରୀମାନେ ଶିକାର କରିବାରେ ଲାଗିଛନ୍ତି । ଗୋଟିଏ ପରେ ଗୋଟିଏ ଘଟଣା ସାମନାକୁ ଆସୁଛି । ଏସବୁ ଜିଲାର ବନ୍ୟବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୌଦ୍ଧ ଜିଲାରେ ପୋଲିସ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଆଜି ପୁଣିଥରେ ଚଢ଼ଉ କରିଛି । ବନବିଭାଗ ସହଯୋଗରେ କଂଟାମାଳ ରେଞ୍ଜ ଅନ୍ତର୍ଗତ ବୌଦ୍ଧ – କନ୍ଧମାଳ ସୀମାନ୍ତ ଅଂଚଳରେ ଚଢ଼ଉ କରି ଗୋଟିଏ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ଏହି ଘଟଣାରେ ଜଣକୁୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଘାଟ ଗ୍ରାମର ଶଚିତନ ନାୟକ । ଜବତ ବାଘଛାଲକୁ ଜଙ୍ଗଲ ବିଭାଗକୁ ପରବର୍ତି ତଦନ୍ତ ଓ ରାସାୟନିକ ପରୀକ୍ଷା ପାଇଁ ହସ୍ତାନ୍ତର କରାଯାଇଥିବା ପ୍ରକାଶ । ରାଜ୍ୟରେ ସଂଗଠିତ କ୍ରାଇମ ଓ ବନ୍ୟପ୍ରାଣୀଙ୍କ ବେଆଇନ କାରବାର ରୋକିବା ପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇଛି ।