ମାଲକାନଗିରି,ଏତେବଡ ଦୁନିଆରେ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି ବାପାମାଆ ଛେଉଣ୍ଡ ଚାରି ଭାଇ, ଭଉଣୀ । ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏପରି ସ୍ଥିତିରେ ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି ଏହି ଅସହାୟ ଭାଇ, ଭଉଣୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୋରେଲଗୁଡା ଗ୍ରାମର ଏହି ଚାରି ଅନାଥଙ୍କୁ ଦେଖିଲେ କାହାରି ବି ହୃଦୟ ତରଳିଯିବ । ଏହି ପରିବାର କେବେବି ଭାବିନଥିଲା ଏମିତି ଦିନ ଆସିବ ବୋଲି । ୪ ବର୍ଷ ପୂର୍ବେ ମାଆ ରୋଗାଗ୍ରସ୍ତ ହୋଇ ଆରପାରିକୁ ଚାଲିଗଲେ, ୨ ବର୍ଷ ପରେ ବାପା ଆରପାରିକୁ ଚାଲିଗଲା ପରେ ଅନାଥ ହେଇଗଲେ ୪ ଭାଇ, ଭଉଣୀ । ସେମାନଙ୍କ ଘରେ ବିଦ୍ୟୁତ୍ ବୋର୍ଡ ଲାଗିଛି କିନ୍ତୁ ଲାଇଟ୍ ନାହିଁ । ଏହି ଚିତ୍ର ବୟାନ କରୁଛି ଯେ , ବାପା ମାଆ ଛେଉଣ୍ଡ ପିଲାମାନେ କି ପ୍ରକାର ଭାବେ ଏହି ଘରେ ରହୁଥିବେ । ଅନ୍ୟଘରେ ମୂଲ ଲାଗିଲେ ଆମକୁ ଦୁଇମୁଠା ଖାଇବାକୁ ମିଳେ ନହେଲେ ଆମକୁ ଭୋକରେ ରହିବାକୁ ପଡେ ବୋଲି କୋହଭରା କଣ୍ଠରେ କହିଛନ୍ତି ପିଲାମାନେ । ଏମାନଙ୍କୁ ଗଣ୍ଡାଏ ଖାଇବା ସାତ ସପନ ହୋଇଥିବା ବେଳେ ଭବିଷ୍ୟତ ଚିନ୍ତା କରିବା ଦୂରର କଥା ଆଗକୁ ପାଠ ପଢିବାକୁ ଇଚ୍ଛା ରହିଛି ହେଲେ ପରିସ୍ଥିତି ଭିନ୍ନ । ସରକାର ତଥା କୌଣସି ପ୍ରତିଷ୍ଠାନକୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ଏହି ଅନାଥ ପିଲାମାନେ ।
ଗୋରେଲଗୁଡା ଗ୍ରାମର ସ୍ବର୍ଗତ ଲାଛ ପୋଟାରୀ ଓ ଦୁଲେ ପୋଟାରୀଙ୍କ ଚାରି ସନ୍ତାନ ବଡ ପୁଅ ମୁକେଶ ଏବେ ୧୨ ବର୍ଷର ହୋଇଥିବା ବେଳେ ଝିଅ ଶାନ୍ତିକୁ ୧୦ ବର୍ଷ, ସେହିପରି ଆଉ ଜଣେ ପୁଅ ମହେଶକୁ ୮ବର୍ଷ ଓ ସାନ ଝିଅ ଦେବୀକୁ ୬ ବର୍ଷ ହୋଇଛି । ଯେଉଁ ହାତରେ ଏମାନେ କଲମ ଧରିବା କଥା ସେମାନେ ଆଜି ସେହି ହାତରେ ଦାଆଧରି ପର ବିଲରେ ଧାନ କାଟୁଛନ୍ତି । କାରଣ ଏହି କଅଁଳ ବୟସରେ ସେମାନେ ଜାଣିଛନ୍ତି ପେଟର ଭୋକ କେତେ ଭୟଙ୍କର । କେବଳ ସେତିକି ନୁହେଁ ସେମାନେ କାଠ ହାଣିବା, ରୋଷେଇ କରିବା, ଝାଡୁ କରିବା ଭଳି ସବୁ କାମକୁ ଆପଣାଇ ନେଇଛନ୍ତି ପେଟ ଚାଖଣ୍ଡକ ପାଇଁ । ଗାଁର କିଛି ଲୋକଙ୍କ ଗାଈ ନେଇ ଜଙ୍ଗଲରେ ଚରାଇବାକୁ ମଧ୍ୟ ଯାଉଛନ୍ତି । ଦୁର୍ଦିନରେ ଥିବା ଏହି କୁନି କୁନି ପିଲାଙ୍କୁ ସରକାରୀ ସହାୟତା କହିଲେ କେବଳ ମିଳିଛି ଖଣ୍ଡିଏ ଆବାସ ଘର, ପିଡିଏସ୍ ଚାଉଳ ଏମାନଙ୍କୁ ମିଳୁନି । ଏହି ଅସହାୟ ପିଲାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଅ।ଯାଉ ବୋଲି ଗ୍ରାମବାସୀ ଗୁହାରି କରିଛନ୍ତି ।