ଭଦ୍ରକ – ଭଦ୍ରକ ବ୍ଲକ୍ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡି ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡା ନିଲମ୍ବିତ ହୋଇଛନ୍ତି । ଏବଂ ବିଦ୍ୟାଳୟର ପାଚିକା ଏବଂ ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏଠାରେ ସୂଚନାଯୋଗ୍ୟ ଗତ ଶନିବାର ଦିନ ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୫୭ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ପରେ ପ୍ରସ୍ତୁତ ହୋଇଥିବା ଭୋଜନରେ ଏକ ମଲା ଝିଟିପିଟି ବାହାରିବା ପରେ ଏଥିନେଇ ଅଭିଭାବକ ଓ ଗ୍ରାମବାସୀମାନଙ୍କ ମହଲରେ ଉତେଜନା ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସାଳୟକୁ ଆଣିବା ପରିବର୍ତେ ବିଦ୍ୟାଳୟକୁ ଛୁଟି ଘୋଷଣା କରି ଘରକୁ ପଳାଇଥିବାର ଅଭିଯୋଗ କରିଥିଲେ ବହୁ ଅଭିଭାବକ । ଏଥିନେଇ ମଧ୍ୟ ସୋମବାର ଦିନ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଦାୟିତ୍ୱହୀନତା ପାଇଁ ତାଙ୍କ ବିରୁଦ୍ଧରେ ଦୃଢ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଫଳରେ ଭଦ୍ରକ ବ୍ଲକ୍ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଙ୍କୁ ନିଲମ୍ବିତ କରିବା ସହ ପାଚିକା ଓ ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବାର ଜଣାପଡିଛି ।
Related Stories
November 25, 2024