-
ଗରୀବ କଲ୍ୟାଣ ଯୋଜନାରେ ଆହୁରି ୮ ମାସ ପାଇଁ ମାଗଣା ଚାଉଳ ଯୋଗାଇ ଦିଆଯାଉ
ଭୁବନେଶ୍ୱର, ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ (ପିଏମ୍ଜିକେଏୱାଇ) ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅଧୀନସ୍ଥ ହିତାଧିକାରୀମାନଙ୍କୁ ଆହୁରି ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦିଆଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପରୋକ୍ତ ଅନୁରୋଧ କରିଛନ୍ତି ।ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସମ୍ପୂର୍ଣ ରାଜ୍ୟରେ ତ୍ୱରିତ ବେଗରେ ଟିକାକରଣ ଅଭିଯାନ ଚାଲିଥିଲେ ସୁଦ୍ଧା ନୂତନ ସଂକ୍ରମଣ ଦେଖା ଦେଉଥିବାରୁ କୋଭିଡ୍-୧୯ ସଂକ୍ରମଣର ସମ୍ପୂର୍ଣ୍ଣ ଅବସାନ ହୋଇ ନାହିଁ । ଏହି କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ମହାମାରୀ ପୂର୍ବ ଅବସ୍ଥାରେ ପହଞ୍ଚି ନ ଥିବା ହେତୁ ସ୍ୱାଭାବିକ ଭାବେ ଗୁଜୁରାଣ ମେଣ୍ଟାଇବାକୁ ଲୋକେ ଏବେ ମଧ୍ୟ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅନୁରୋଧ କରିଛନ୍ତି ।ସେ ଆହୁରିକହିଛନ୍ତି ଯେ ‘ପିଏମ୍ଜିକେଏୱାଇ-୩’ ‘କ୍ୱୋଟା’ରେ ଆସିଥିବା ଖାଦ୍ୟଶସ୍ୟ ବଣ୍ଟନ ଉପରେ ଗୁରୁତ୍ୱ ଦେଇ ଓଡ଼ିଶା ୨୦୨୧ ନଭେମ୍ବର ୫ ତାରିଖ ସୁଦ୍ଧା ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୭ ମାସ ପାଇଁ ସେ ସବୁ ଯୋଗାଇଦେଇଛି । ସେହିଭଳି, ରାଜ୍ୟ ମଧ୍ୟ ତା’ର ‘ଖାଦ୍ୟ ନିରାପତ୍ତା ଯୋଜାନା’ରେ ହିତାଧିକାରୀମାନଙ୍କୁ ସୁବିଧା ଯୋଗାଇ ଦେଇଛି ।ସେ କହିଛନ୍ତି ଯେ ଏବେ ମଧ୍ୟ ମହାମାରୀ ପରିସ୍ଥିତିରେ ସୁଧୁରି ନ ଥିବାରୁ ସରକାର ଅସହାୟ ଜନତାଙ୍କୁ ରିଲିଫ୍ ଯୋଗାଇ ଦେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ ସମ୍ପ୍ରତି ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଆଗାମୀ ୮ ମାସ ପାଇଁ ମାଗଣା ଚାଉଳ ଯୋଗାଇ ଦେବା କଥା ବିଚାର କରାଯାଉ ।