ମାଲକାନଗିରି, ପାଣିରେ ବୁଡ଼ି ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉଣ୍ଡୁରକୋଣ୍ଡା ପଞ୍ଚାୟତର ପଡଗାନପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଶିଶୁ କାନା ମାଡକାମୀଙ୍କ ଝିଅ ରାମେ ମାଡକାମୀ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଲଘୁଚାପଜନିତ ବର୍ଷା ଯୋଗୁଁ ଜମିରେ ପାଚିଲା ଧାନ ନଷ୍ଟ ହୋଇଯାଉଥିବାରୁ କାନା ନିଜ ସ୍ତ୍ରୀ ସହ ଜମିକୁ ଯାଇଥିଲେ । ଏହି ସମୟରେ ଝିଅ ପାଏଲ ପାଖରେ ଦୁଇ ଯାଆଁଳା ଶିଶୁକନ୍ୟା ରାମେ ଓ ଲକେକୁ ଛାଡ଼ି ଥିଲେ । ପାଏଲ ଦୁଇ ଭଉଣୀଙ୍କୁ ନେଇ ଗାଁ ପିଲାଙ୍କ ସହ ଖେଳୁଥିବାବେଳେ ସମସ୍ତଙ୍କ ଅଜାଣତରେ ରାମେ ଘର ନିକଟରେ ଥିବା ଏକ ପୋଖରୀକୁ ଚାଲି ଯାଇଥିଲା । ବାପା-ମା ସଂଧ୍ୟାବେଳେ ଘରକୁ ଫେରି ରାମେକୁ ଖୋଜି ପାଇନଥିଲେ । ଫଳରେ ଗ୍ରାମବାସୀଙ୍କ ସହ ମିଶି ଖୋଜାଖୋଜି କରିବା ସମୟରେ ପୋଖରୀରେ ରାମେ ଭାସୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାକୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାକୁ ସୂଚନା ଦିଆଯିବା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲା ।