ପାରାଦୀପ – ପାରାଦୀପ ଇଂଟରନେସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ଏବେ ଶ୍ରମିକଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଗତ କିଛିମାସ ହେଲା ପିଆଇସିଟି ବର୍ଥରେ କାମ କରୁଥିବା ଶ୍ରମିକମାନେ ଡ୍ୟୁଟି ବେଳେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ଏଥିରେ କର୍ଣପାତ କରୁନଥିବାର ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି । ଏପରିକି ଦୁର୍ଘଟଣାରେ ଗୁରୁତର ହୋଇଥିବା ଶ୍ରମିକମାନଙ୍କୁ ସାମାନ୍ୟତମ ସହାନଭୁତି ମଧ୍ୟ ଦେଖାଇବାକୁ ଆସୁନାହାଁନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ଗତକାଲି ପୁଣିଥରେ ପାରାଦୀପ ବନ୍ଦର ମଧ୍ୟରେ ଥିବା ପି.ଆଇ.ସି.ଟି. ବର୍ଥରେ ଦୁର୍ଘଟଣା ଘଟିଛି । ପି.ଆଇ.ସି.ଟି. ବର୍ଥରେ କାମ କରୁଥିବା ଠିକାସଂସ୍ଥା “ଚନ୍ଦୁ ଏଣ୍ଡ କୋ.” ର ମନୋଜ ମଲିକ୍ ନାମକ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ଗୋଡ ଉପରେ ଫୋରକ୍ଲିପ୍ ମେସିନ୍ ଚଢିଯିବା ଫଳରେ ସେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ଏହାକୁନେଇ ଦିର୍ଘ ସମୟଧରି ଶ୍ରମିକଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଶତାଧିକ ଶ୍ରମିକ କମ୍ପାନୀର ମୁଖ୍ୟ ଫାଟକରେ ତାଲା ପକାଇବାସହ ଟାୟାର ଜାଳି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଫଳରେ କମ୍ପାନୀର କାର୍ଯ୍ୟ ସଂପୁର୍ଣ ବାଧାପ୍ରାପ୍ତ ହୋଇଥିଲା । ଶ୍ରମିକମାନଙ୍କର ଅଭିଯୋଗ ଯେ, ଗତ ତିନିମାସ ଭିତରେ ଛଅ ଥର ଦୁର୍ଘଟଣା ଘଟିଲାଣି । ହେଲେ ପି.ଆଇ.ସି.ଟି. କର୍ତୃପକ୍ଷ କୈାଣସି ପଦକ୍ଷେପ ନନେଇ ଠିକାଦାର ଉପରେ ଛାଡି ଦେଉଛି । ଯାହାଫଳରେ ଠିକାଦାର ସମସ୍ତ ଦାବି ପୁରଣ କରିବବୋଲି ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ଦାବି ପୁରଣ କରୁନାହିଁ । ଏପରିକି ଶ୍ରମିକ ମାନଙ୍କ ସୁରକ୍ଷା ପ୍ରତି କମ୍ପାନୀ ଦୃଷ୍ଟି ଦେଉନାହିଁ । ସେମାନଙ୍କର କହିବା ଅନୁଯାଇ କମ୍ପାନୀ କର୍ତୃପକ୍ଷ ଠିକାଦାରଙ୍କ ଅଧିନରେ ସମସ୍ତ କାମ କରାଉଛନ୍ତି । ଶ୍ରମିକ ମାନଙ୍କୁ କୈାଣସି ସେଫ୍ଟି ଇକ୍ୟୁପ୍ମେଂଟ୍ ଦିଆଯାଉନାହିଁ । ଏହାସହ ଶ୍ରମିକ ମାନଙ୍କୁ ଜିବନବିମା, ଇ.ପି.ଏଫ୍. କିମ୍ବା ଇ.ଏସ.ଆଇ. ଅନ୍ତର୍ଭୁକ୍ତ କରାଯାଉନାହିଁ । ଶ୍ରମିକମାନେ ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣପାତ କରୁନାହାଁନ୍ତ । ଏପରିକି ଠିକ୍ ସମୟରେ ଦରମା ପ୍ରଦାନ କରାଯାଉନାହିଁ ଏବଂ ଏ ସଂପର୍କରେ ଯିଏ ସ୍ୱର ଉତୋଳନ କରୁଛି କୈାଣସି କାରଣ ନଥାଇ ସେମାନଙ୍କୁ ଡ୍ୟୁଟିରୁ ବାହାର କରିଦିଆଯାଉଛି । କମ୍ପାନୀ ଏକପ୍ରକାର ଏକଛତ୍ରବାଦ ଶାସନ ଚଳାଇଛି ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି । ତେଣୁ ଦୁର୍ଘଟଣାରେ ଗୁରୁତର ମନୋଜ ମଲିକଙ୍କ ପରିବାରକୁ କ୍ଷତିପୁରଣ ଓ ତାଙ୍କ ପରିବାରରୁ ଜଣକୁ ସ୍ଥାୟି ନିଯୁକ୍ତି ଦେବାପାଇଁ ପିଆଇସିଟି କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ନିମାଇଁ ଚରଣ ମହାନ୍ତୀ ଓ ବୈଦ୍ୟନାଥ ମଲିକ ଦାବି କରିଛନ୍ତି । ଅନ୍ୟପଟେ ପାରାଦୀପ ପୋଲିସ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲା । ଦିର୍ଘ ୪ ଘଂଟା କମ୍ପାନୀର କାମ ବନ୍ଦ ରହିବାପରେ ସମସ୍ତ ଦାବି ପୁରଣ କରିବାର ଲିଖିତ ପ୍ରତିଶୃତି ଦେବାପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରିଥିଲେ ।