ବଲାଙ୍ଗିର, ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୌଳିକ ସାକ୍ଷରତା ସମ୍ବନ୍ଧୀୟ ତାଲିମ ଏବଂ ତାହାର ପ୍ରତିକ୍ରିୟା, ପାଠ୍ୟ ଖସଡ଼ା ଅନୁଯାୟୀ ଆବଶ୍ୟକୀୟ ତାଲିମ୍, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପୁନଃ ବିଦ୍ୟାଳୟ ପ୍ରବେଶ, ପ୍ରାଥମିକ ବୃତ୍ତି, ମଧ୍ୟାହ୍ନ ଭୋଜନ, ବେସଲାଇନ ଟେଷ୍ଟ, ସ୍କୁଲ ଜମି ସଂକ୍ରାନ୍ତୀୟ କାଗଜାତ ସମ୍ପର୍କରେ ଆଲୋଚନା ହୋଇଥିଲା । ଇଟିଇଆଇର ଶିକ୍ଷକ ପ୍ରଶିକ୍ଷିକା ଡ. ସୁଧାଂଶୁବାଳା ତ୍ରିପାଠୀ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଶିକ୍ଷଣ ପାଇଁ ସିଆରସିସି ପାଇଁ ପ୍ରଶିକ୍ଷଣ, ବ୍ଲକ ସ୍ତରୀୟ ତଥ୍ୟ ଫର୍ଦ୍ଦ ପ୍ରସ୍ତୁତି, ପିଲାମାନଙ୍କର ଶୈକ୍ଷିକ ସ୍ତରର ମୂଳଦୁଆ, ବ୍ଲକ ସ୍ତରୀୟ ବିକଳ୍ପ ଶିକ୍ଷାର ମୂଲ୍ୟାଙ୍କନ, ମୌଳିକ ସାକ୍ଷରତାର ବର୍ତମାନର ଜରୁରୀ ଆବଶ୍ୟକତା, ଡିଜିଟାଲ ମାଧ୍ୟମରେ ଗଠନମୂଳକ ପାଠ୍ୟ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ, ପରୀକ୍ଷା ପାଇଁ ଆବଶ୍ୟକୀୟ ସାମଗ୍ରୀ ଏବଂ ପରୀକ୍ଷା ପରିଚାଳନା ପଦ୍ଧତି, ପରୀକ୍ଷା ସାମଗ୍ରୀର ଉପଲବ୍ଧତା, ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷା ଓ ଏହାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ଆଗାମୀ ଦିନରେ ବଲାଙ୍ଗିର ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ନୂତନ ଶିକ୍ଷା ନୀତି-୨୦୨୦ ଏବଂ ମୌଳିକା ସାକ୍ଷରତା ଉପରେ ଶିକ୍ଷକଙ୍କୁ ତାଲିମ ଯୋଗେଇବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ଲକର ବିଆରସିସି, ୧୪ ଜଣ ସିଆରସିସିଙ୍କ ସହ ନୀତି ଆୟୋଗର ୩ ଜଣ ସଦସ୍ୟ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଏବିଇଓ କୈଳାଶ କୁମ୍ଭାର ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସିଆରସିସି ଗଣେଷ ପଣ୍ଡା ।