ପୁରୀ,ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶାନାମା ଅନୁଯାୟୀ, ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି । ଆସନ୍ତା ଜାନୁୟାରୀ ପହିଲା ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ କରି ପାରିବେ । ଏ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ନୂତନ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଫର୍ମ-୬, ପ୍ରବାସୀ ଭାରତୀୟ ମାନଙ୍କ ପଞ୍ଜିକରଣ ନିମନ୍ତେ ଫର୍ମ -୬ କ, ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮ କ, ମାଧ୍ୟମରେ ବୁଥ ସ୍ତରରେ ବିଏଲଓଙ୍କ ନିକଟରେ ଆବେଦନ କରିପାରିବେ ।
ଏହି କାର୍ଯ୍ୟକ୍ରମ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଛି ଚଳିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ହେଲ୍ପଲାଇନ ଆପ୍ ନେସନାଲ ଭୋଟର ସର୍ଭିସ ପୋର୍ଟାଲ ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟର ମାନେ ସେମାନଙ୍କ ତଥ୍ୟ ପାଇପାରିବେ । ଉପ ଜିଲ୍ଲାପାଳ ଓ ସମସ୍ତ ବି.ଡି.ଓ ମାନଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନହୁଅନ୍ତି ଏଥିନିମନ୍ତେ ରବିବାର ଦିନ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ । ବୁଥ ସ୍ତରୀୟ ଅଧିକାରୀ ମାନେ ବୁଥ ଗୁଡିକରେ ଉପସ୍ଥିତ ରହିବେ । ଜିଲ୍ଲାରେ ୭ ଲକ୍ଷ ୧୫ ହଜାର ୯୧୨ ଜଣ ପୁରୁଷ, ୬ ଲକ୍ଷ ୬୮ ହଜାର ୨୮୮ ଜଣ ମହିଳା ଓ ଅନ୍ୟାନ୍ୟ ୬୯ ଜଣଙ୍କୁ ମିଶାଇ ମୋଟ ୧୩ ଲକ୍ଷ ୮୪ ହଜାର ୨୬୯ ଜଣ ଭୋଟର ଅଛନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।