ଭୁବନେଶ୍ୱର, ୨୦୧୪ ମସିହା ପାଖରୁ ଆଜକୁ ୭ବର୍ଷ ଭିତରେ କେବଳ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ୫୫୦ ଟଙ୍କା ବୃଦ୍ଧି ଘଟିଛି । ଆଜି ୧୪.୨ କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡରର ଭୁବନେଶ୍ୱରରେ ମୂଲ୍ୟ ୯୨୬ ଟଙ୍କା କିନ୍ତୁ ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ଅଂଚଳରେ ଏହା ୯୫୯ ଟଙ୍କା । ୨୦୨୦ ମସିହାରେ ଯେତେବେଳେ ସାରା ରାଜ୍ୟରେ ମହାମାରୀରେ ପୀଡ଼ିତ ସେହିି ସମୟରେ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ବୃଦ୍ଧିକଲେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦୁଟିଏ ବି ବିରୋଧ କରି କହିନାହାନ୍ତି । ଏବେ ବି ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗ୍ୟାସ୍ ସିଲିଣ୍ଡର ଉପରୁ ୨.୫ % ଜିଏସଟି ଛାଡ଼ କରନ୍ତୁ ତତ୍ସହିତ ଶୀଘ୍ର ଶୀତଳ ଭଣ୍ଡାର କରନ୍ତୁ, ପନିପରିବା ଚାଷୀଙ୍କୁ ପ୍ରୋତ୍ସାହିତ କରନ୍ତୁ ଏବଂ ତାଙ୍କ ଦ୍ରବ୍ୟକୁ ସଂଗ୍ରହ କରି ରଖିବା ପାଇଁ ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି ।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଶ୍ରୀମତୀ ସସ୍ମିତା ବେହେରା କହିଛନ୍ତି ଯେ ୨୦୧୪ ମସିହା ଉପା ସରକାର ସମୟରେ ୪୧୦ ଟଙ୍କା ୫୦ ପଇସାରେ ୧୪.୨ କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡର ପ୍ରତ୍ୟେକ ଉପଭୋକ୍ତାମାନଙ୍କୁ ମିଳୁଥିଲା । ଏବେ କିନ୍ତୁ ରନ୍ଧନ ଗ୍ୟାସ୍ ଦର ଆକାଶଛୁଆଁ ହେଲାଣି । ୨୦୧୪ ମସିହା ପାଖରୁ ୨୦୨୧ ମସିହା ମଧ୍ୟରେ ପେଟ୍ରୋଲ ୪୫୯ ଶତପ୍ରତିଶତ ଦାମ ବୃଦ୍ଧି ହୋଇଛି । ୨୦୧୪ରେ ଗ୍ରାମାଂଚଳରେ ପିଡିଏସ ସିଷ୍ଟମରେ ୧୪ଟଙ୍କା ୯୬ ପଇସାରେ କିରୋସିନି ଯୋଗାଇ ଦିଆଯାଉଥିଲା କିନ୍ତୁ ଏବେ ୩୫.୩୫ ସବସିଡି ଦିଆଯାଉ ନାହିଁ ।
୨୦୨୦ ମସିହା ପାଖରୁ କେନ୍ଦ୍ର ସରକାର କୌଣସି ସବସିଡ ରନ୍ଧନଗ୍ୟାସ ଉପରେ ଦେଉନାହାଁନ୍ତି । ରାଜ୍ୟ ସରକାର ୨୦୧୫ ମସିହାରେ ପିଆଜ ମିଶନ କରିଥିଲେ ଆଶା କରାଯାଉଥିଲା ଆଳୁ ପିଆଜ ବହୁତ ସସ୍ଥାରେ ମିଳିବ କିନ୍ତୁ ତାହା ହେଲା ନାହିଁ । ଏହାର ବିଫଳତାର ଶ୍ରେୟ କିଏ ନେବ । ୨୦୦ ଶୀତଳ ଭଣ୍ଡାର ନିଷ୍ପତି ନିଆଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ୨୦ ଟି ମଧ୍ୟ କାର୍ଯ୍ୟକରୁ ନାହିଁ । ଠିକ ସେହିଭଳି ଆଳୁ ମିଶନ ୨୦୧୫ ମସିହା ୩୦ ଏପ୍ରିଲରେ ଆରମ୍ଭ କରାଗଲା ବୋଲି କୁହାଗଲା ।ରାଜ୍ୟ ସରକାର ୫୫ ଟି ଶୀତଳ ଭଣ୍ଡାର କରିବେ ବୋଲି ପ୍ରତିଶ୍ରୁତି ଦେଲେ କିନ୍ତୁ ଆଜି ସୁଦ୍ଧା ୧୦ଟି ଶୀଳତ ଭଣ୍ଡାର ମଧ୍ୟ କାର୍ଯ୍ୟକ୍ଷମ ନାହିଁ ।
ଚା ତେଣୁ ଆଳୁ ପଆଜ, ପନିପରିବା ଯେଉଁ ଅହେତୁକ ଦରଦାମ ବୃଦ୍ଧି ଘଟିଛି ସେଥିପାଇଁ ବିଜୁ ଜନତା ଦଳର ସରକାର ସଂପୂର୍ଣ୍ଣଭାବେ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି ।