ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଶୁକ୍ରବାର ଦିନ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସଂଜୀବ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ବିଜେଡି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ।
ସଞ୍ଜୀବ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକ ଆସନରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ୨୦୦୩ ମସିହାରେ ବୀରମହାରାଜପୁର ଉପନିର୍ବାଚନରେ ସେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ । ୨୦୦୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଜିତି ସେ ବିଧାନସଭାକୁ ଯାଇଥିଲେ । ୨୦୦୯ ଓ ୨୦୧୪ ନିର୍ବାଚନରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଜିତିଥିଲେ । ଏହା ସହ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ, ପଂଚାୟତରାଜ ଏବଂ ପରିବହନ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ଦଳ ପକ୍ଷରୁ ତାଙ୍କ ବଦଳରେ ପୂର୍ବତନ ପ୍ରଶାସନିକ ଅଧିକାରୀ ରମେଶ ସାଇଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିଲା ।