-
ବନବାସରେ ସମସ୍ତ ଅଧିକାରୀ
ବୌଦ୍ଧ, ବୌଦ୍ଧ ଆରଟିଓ ଅଫିସରେ ଧରାପଡିଥିବା କେଳେଙ୍କାରୀ ନେଇ ଚାଲିଥିବା ତଦନ୍ତ ଆଗେଇ ପାରୁନାହିଁ । ଅଧାରେ ଅଟକି ରହିଛି ତଦନ୍ତ, ପରିବହନ ଅଧିକାରୀମାନେ ସହଯୋଗ କରୁନାହାନ୍ତି, ଖୋଜିଲେ ମିଳୁନାହାନ୍ତି ସତେ ଯେପରି ସମସ୍ତେ ବନବାସରେ ରହିଛନ୍ତି । ବୌଦ୍ଧ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଅଧିକାରୀଙ୍କ ପାଶୱାର୍ଡ ବ୍ୟବହାର କରି ୧୧୭ ଟି ଗାଡିର ଫିଟନେଶ ସାର୍ଟିଫିକେଟ ପ୍ରଦାନ ମାମଲାର ତଦନ୍ତ ଅଧାରେ ଅଟକି ରହିଥିବା ଜଣାପଡିଛି । ପୋଲିସ ଆଂଚଳିକ ପରିବହନ କାର୍ଯ୍ୟାଳୟର ପୋଗ୍ରାମର ରଞ୍ଜନ କୁମାର ଦାସଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଆରଟିଓ ଅଫିସର ସମ୍ପୃକ୍ତ ଅଧିକାରୀମାନଙ୍କ ଅସହଯୋଗ ଯୋଗୁଁ ସତକଥା ପଦାକୁ ଆସିପାରି ନାହିଁ ।
ବୌଦ୍ଧ ଆରଟିଓ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ସଲାସୁତୁରାରେ ଅନେକ ବେଆଇନ କାର୍ଯ୍ୟକଳାପ କରାଯାଇ ଲକ୍ଷ ଲକ୍ଷ କଳା ଟଙ୍କା ରୋଜଗାର କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଅଛି । ମାତ୍ର, ଦୁର୍ଭାଗ୍ୟବଶତଃ ବଡବିଲ ଅଂଚଳର ୧୧୭ ଗୋଟି ଗାଡିକୁ ଦିଆଯାଇଥିବା ଫିଟନେସ ସାର୍ଟିଫିକେଟ ଘଟଣା ପଦାକୁ ଆସିବା ସହ ଘଟଣା ସମ୍ପର୍କରେ ରାଜ୍ୟ ଆଂଚଳିକ ପରିବହନ କମିଶନର ଅରୁଣ ବୋଥ୍ରା ଜାଣିବା ପରେ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଦିନ ବୌଦ୍ଧ ଥାନାରେ ଏନେଇ ଲିଖିତ ଅଭିଯୋଗ ହେବା ପରେ ବୌଦ୍ଧ ପୋଲିସ ପକ୍ଷରୁ ମାମଲା ରୁଜୁ କରି ପୋଗ୍ରାମର ରଞ୍ଜନ ଦାସକୁ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି । ଆରଟିଓ ଅଫିସ ପକ୍ଷରୁ କେବଳ ଏକ ଅଭିଯୋଗ ଦାଖଲ କରିଦେଇଥିଲେ ମଧ୍ୟ ଆବଶ୍ୟକ କାଗଜପତ୍ର ଓ ତଥ୍ୟ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି ଫଳରେ ତଦନ୍ତ ଆଗଉନଥିବା ପ୍ରକାଶ । ଆରଟିଓ ଅଧିକାରୀମାନେ ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ଥାନା ପକ୍ଷରୁ ଏକ ନୋଟିସ ଜାରି କରାଯାଇଥିବା ଶୁଣିବାକୁ ମିଳୁଛି । ବୌଦ୍ଧ ଆରଟିଓ ଅଫିସରେ ଚାଲିଥିବା କେଳେଙ୍କାରୀର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁମୁର ଫିଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।