ଭୁବନେଶ୍ୱର, ଆଗାମୀ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନ ବିଶେଷତଃ ଉତପ୍ରଦେଶର ବିଧାନସଭା ନିର୍ବାଚନରେ ପରାଜୟର ଆଶଙ୍କା କେନ୍ଦ୍ର ସରକାରଙ୍କୁ ବିଚଳିତ କରିଥିଲା । ବିଚଳିତ ପ୍ରଧାନମନ୍ତ୍ରୀ ଦେଖିଲେ ୨୦୨୪ ପାଇଁ ସବୁ ରାସ୍ତା ଆସ୍ତେ ଆସ୍ତେ ବନ୍ଦ ହେବାରେ ଲାଗିଛି । ତେଣୁ ଏହି ପରାଜୟର ଆଶଙ୍କା ତାଙ୍କୁ ବାଧ୍ୟକଲା କୃଷକଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର ନିଜର କର୍ପୋରେଟ୍ ବନ୍ଧୁମାନଙ୍କୁ ଖୁସି କରିବା ପାଇଁ ଗତବର୍ଷ ସଂସଦରେ ଅନୁମୋଦିତ କରିଥିବା ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।
କିନ୍ତୁ ଆନ୍ଦୋଳନରତ କୃଷକମାନେ ସଂସଦରେ ଆଇନ୍ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଯେପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ଆଇନ୍ ପାରିତ ନ ହୋଇଛି ସେ ପର୍ଯ୍ୟନ୍ତ କୃଷକମାନେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେବା ନିଶ୍ଚୟ ଆନ୍ଦୋଳନକୁ କ୍ଷତି ପହଂଚାଇବ । ତେଣୁ ସରକାର କୃଷକ ଆନ୍ଦୋଳନକୁ ସମ୍ମାନ ଜଣାଇ ଏମ୍.ଏସ୍.ପି. ଆଇନ୍ ଅନୁମୋଦିତ କରାନ୍ତୁ ଏବଂ ଦରଦାମ୍ ବୃଦ୍ଧି ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । କୃଷକମାନଙ୍କୁ ହତ୍ୟା କରିଥିବା ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ଓ ବିଗତ ୧ ବର୍ଷ ଧରି ଧାରଣା ଦେଇ ଶହୀଦ ହୋଇଥିବା ୭ ଶହ କୃଷକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସମାଜବାଦୀ ପାର୍ଟି ଦାବି କରିଛି ।