-
ଆସନ୍ତାକାଲି ରାଜରାଜେଶ୍ୱର ବେଶ
ପୁରୀ, ଧର୍ମ ମାସ ପବିତ୍ର କାର୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ତଥା ପଚଂକର ଚତୁର୍ଥ ଦିବସରେ ଆଜି ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉ ମାନଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ବାଳଭୋଗ ପର୍ଯ୍ୟନ୍ତ ରହିବ । ଏହି ବେଶରେ ଡାଳି ଭଳି ସୁନା କିଆ ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଏ । ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ବେତ କନାରେ ଦୁଇଟି ଚୂଳ ଲାଗି ହୋଇଥାଏ । ଏହି ଡ଼ାଳି ଚୂଳରେ ସୋଲ ଓ ଜରିରେ ନିର୍ମିତ ଫୁଲ ଧାଡି ଧାଡି ହୋଇ ଖୋସାଯାଇଥାଏ । ଏହା ମଝିରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏହି ବେଶରେ ମାଳି, ପଦକ ମାଳି, ତାବିଜ ମାଳି, ଧାରଣ କରିଥାନ୍ତି ଶ୍ରୀଜୀଉ ମାନେ । ଶ୍ରୀଭୂଜ, ଶ୍ରୀପୟର, ଶଙ୍ଖ, ଚକ୍ର ହଳ ମୂଷଳ ଲାଗି କରାଯାଇଥାଏ । ମା ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯିବା ସହିତ ମସ୍ତକରେ ସୁବର୍ଣ୍ଣ କିରୀଟ ଲାଗି ହୋଇଥାଏ । ସ୍କନ୍ଧ ପୁରାଣ ଅନୁସାରେ ମହାପ୍ରଭୁ ପ୍ରଥମେ ନୃସିଂହ ରୂପରେ ଦେଖାଦେଇଥିଲେ । ନୃସିଂହ ଅବତାରକୁ ସମ୍ମାନ ଜଣାଇ ଏହି ବେଶ କରାଯାଉଥିବା କଥିତ ରହିଛି । ପାଳିଆ ସେବାୟତ ମାନେ ଶ୍ରୀଜୀଉମାନଙ୍କୁ ଏହି ବେଶ କରିବା ସହ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି । ସକାଳ ୭ଟା ଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହା ରାତି ୧୧ଟା ପର୍ଯ୍ୟନ୍ତ ଜାରୀ ରହିବ । ଆରଟି-ପିସିଆର ନେଗେଟିଭ୍ ସାର୍ଟିଫିକେଟ କିମ୍ବା ସମ୍ପୃକ୍ତ ବ୍ୟକ୍ତି କୋଭିଡ଼୍ ର ଦୁଇଟି ଯାକ ଡୋଜ୍ ଟୀକା ନେଇଥିବାର ପ୍ରମାଣପତ୍ର ଯାଂଚ୍ ପରେ ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କୁ ଦର୍ଶନ କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ସେହିପରି ପୁରୀ ସହରବାସୀ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ପୂର୍ବକ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଏତଦ୍ ବ୍ୟତୀତ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି କାର୍ତିକ ପୂର୍ଣ୍ଣମୀ ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କେବଳ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ସେବା ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରିବେ ।ଏଠାରେ ଉଲ୍ଲେଖଯୋଗ୍ୟ, ପଚୁଂକର ପ୍ରଥମ ଦିନ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ, ତୃତୀୟ ଦିବସରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିଲା ।