ବଲାଙ୍ଗୀର, ସ୍ଥାନୀୟ ଚିତ୍ର ସଂଗୀତ ମହାବିଦ୍ୟାଳୟ ‘କଳାଧାମ’, ଟେଲିଗୋଠପଡା ବଲାଙ୍ଗିର ଠାରେ କଳା ଓ ସଂସ୍କୃତିର ଉତ୍ଥାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ସଂସ୍କାରଭାରତୀ ବଲାଙ୍ଗିର ଶାଖାର କର୍ମକର୍ତ୍ତାମାନଙ୍କ ନୂତନ ଦାୟିତ୍ୱ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ମହାମନ୍ତ୍ରୀ ଗଦାଧର ବାରିକ ଏବଂ ଉପାଧ୍ୟକ୍ଷ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଅତିଥି ଭାବରେ ଯୋଗଦାନ ପୂର୍ବକ କର୍ମକର୍ତ୍ତାମାନଙ୍କୁ ନୂତନ ଭାବରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ । ଏହି କ୍ରମରେ ବାସୁଦେବ ମେହେର ସଭାପତି ଭାବେ, ପ୍ରଦୀପ ବରାଳ ଓ ମୁରଲିଧାରୀ ପତି ଉପସଭାପତି ଭାବେ, ଦିଲ୍ଲୀପ କୁମାର ସିଂହଦେଓ ସମ୍ପାଦକ ଭାବେ, ମଳୟ ତ୍ରିପାଠୀ ସହସମ୍ପାଦକ, ପ୍ରଭାକର ମିଶ୍ର ଜିଲ୍ଲା ସଂଯୋଜକ ଏବଂ ମାନସ ରଞ୍ଜନ ସାହୁଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଅର୍ପଣ କରାଯାଇଛି ।
ଏହି ଅବସରରେ ପାରସ୍ପରିକ ସହଯୋଗରେ କିଭଳି ଆମ କଳା, ସଂସ୍କୃତି, ପରମ୍ପରାର ବିକାଶ ତଥା ଉତ୍ତରୋତ୍ତର ଉନ୍ନତି ଏବଂ ସାଂସ୍କୃତିକ ବାତାବରଣ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ଦିଗରେ ଆଗକୁ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଚାନ୍ଦ, ଜବାହାରଲାଲ ନନ୍ଦ, ଅଜୟ ଅମର ସିଂହଦେଓ ତଥା ନଳିନୀ ସିଂହ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ । ପରିଶେଷରେ ନୂତନ ସମ୍ପାଦକ ଶ୍ରୀ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।