-
କଳିଙ୍ଗା ଉଦ୍ୟାନ କୃଷି ବିଭାଗର ଶୀତଳ ଭଣ୍ଡାର ଖତ ଖାଉଛି
କନ୍ଧମାଳ, କନ୍ଧମାଳ ଜିଲ୍ଲାର ଅଧିକାଂଶ ବ୍ଳକରେ ବିଭିନ୍ନ ପ୍ରକାରର ପନିପରିବା ପ୍ରଚୁର ଭାବରେ ଉତ୍ପାଦନ ହେଉଛି । ରାଜ୍ୟର ଅନ୍ୟ ଯାଗାର ପନିପରିବା ଠାରୁ କନ୍ଧମାଳରେ ଉତ୍ପାଦିତ ପନିପରିବାରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଜିଲ୍ଲାର କିଛି ଅଂଚଳରେ କମ୍ ମାତ୍ରାରେ ହେଉଥିବା ଏବଂ ଆଉ କିଛି ଅଂଚଳରେ ଜମା ହେଉନଥିବାରୁ ଏହି ପନିପରିବାର ଚାହିଦା ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ଅଧିକ ରହିଛି । ସେଥିପାଇଁ ଜିଲ୍ଲାରେ ଉତ୍ପାଦିତ ସବୁ ପନିପରିବା ଅନ୍ୟ ଜିଲ୍ଲାକୁ ପଠାଯାଉଛି ।ଅନ୍ୟପକ୍ଷରେ ଜିଲ୍ଲାରେ ଉତ୍ପାଦିତ ସବୁଜ ପନିପରିବା ଗୁଡିକ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରର ଅଭାବ ହେତୁ ଏହି ଜିଲ୍ଲାର ପନିପରିବା ଓ ଅନ୍ୟାନ୍ୟ ଉତ୍ପାଦନ ଗୁଡିକ ସାଇତି ରଖିବା ପାଇଁ ବିଶେଷ ସୁବିଧା ନାହିଁ । ଏହାନୁହେଁ ଯେ, ଜିଲ୍ଲାରେ ଜମା ଶୀତଳ ଭଣ୍ଡାର ନାହିଁ । କଳିଙ୍ଗା ଠାରେ ରହିଛି ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଗୋଟିଏ ଶୀତଳ ଭଣ୍ଡାର, ହେଲେ ତାହା ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟକ୍ଷମ ହୋଇପାରିନାହିଁ । ସେହି ଶୀତଳ ଭଣ୍ଡାରଟିକୁ କାର୍ଯ୍ୟରେ ଲଗାଇଲେ ଜିଲ୍ଲାର ବିଭିନ୍ନ ଋତୁରେ ଉତ୍ପାଦନ ହେଉଥିବା ପନିପରିବା ଏଠାରେ ରଖା ଯାଇପାରନ୍ତା ବୋଲି ଆଖପାଖ ଅଂଚଳର ଚାଷୀମାନେ କହିଛନ୍ତି । ଏହା ବ୍ୟତୀତ ବେସରକାରୀ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଯଦି ଶୀତଳଭଣ୍ଡାର ପ୍ରତିଷ୍ଠା ନେଇ ଅନୁମତି ମିଳିପାରନ୍ତା, ତେବେ ଉତ୍ପାଦିନ ପନିପରିବାକୁ ଅଧିକ ଦିନ ସଂରକ୍ଷିତ ରଖାଯାଇପାରନ୍ତା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ୧୨ ଟି ବ୍ଳକରେ ଚାଷ ହେଉଥିବା ଏବଂ ଋତୁ ଅନୁସାରେ ଫଳୁଥିବା ଆମ୍ବ, ପିଜୁଳି, କମଳା ଭଳି ବିଭିନ୍ନ ଫଳ ସବୁ ଠିକ୍ ସମୟରେ ବିକ୍ରୀ ନହେବା କିମ୍ବା ସାଇତି ରଖାନଯିବାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିମାଣରେ ନଷ୍ଟ ହେଉଛି । ଏହି ସବୁକୁ ସେଠାରେ ରଖାଯାଇ ପାରନ୍ତା ଏବଂ ସେଗୁଡିକୁ ବାହାର ରାଜ୍ୟର ବିଭିନ୍ନ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀ ମାନେ କିଣି ନେଇପାରନ୍ତେ । ଫଳରେ ପ୍ରତିବର୍ଷ ଜିଲ୍ଲାରେ ହେଉଥିବା ଶହଶହ କ୍ୱିଣ୍ଟାଲ ଦେଶୀ ଆମ୍ବ ସଂଗ୍ରହ କରି ଗ୍ରାମାଂଚଳର ଲୋକେ ମଧ୍ୟ କିଛି ରୋଜଗାର କରିପାରନ୍ତେ । ଶୀତ ଋତୁରେ ହୋଇଥିବା ପନିପରିବା ସବୁକୁ ଏଥିରେ ସାଇତି ରଖାଯାଇପାରନ୍ତା ଓ ଗ୍ରୀଷ୍ମ ଋତୁରେ ଜିଲ୍ଲାର ଲୋକେ ଏହି ପନିପରିବା ପାଇପାରନ୍ତେ । କଳିଙ୍ଗାଠାରେ ଥିବା ଶୀତଳ ଭଣ୍ଡାର ଅନେକ କାରଣରୁ ଦିର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବନ୍ଦ ହୋଇଯାଇଛି । ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଗଲେ ଏହି ଶୀତଳ ଭଣ୍ଡାରର ଲାଭ ଜିଲ୍ଲାର ଚାଷି ଏବଂ ଖାଉଟି ନେଇପାରନ୍ତେ । ଇତିମଧ୍ୟରେ ଜିଲ୍ଲାରେ ଆଉ କୌଣସି ଯାଗାରେ ନୂତନ ଭାବରେ ଶୀତଳ ଭଣ୍ଡାର ତିଆରି ମଧ୍ୟ ହୋଇପାରିଲାନାହିଁ । କୃଷି ବିଭାଗ, ଶିଳ୍ପ ବିଭାଗ କିମ୍ବା ନାବାର୍ଡ ତରଫରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ନାବାର୍ଡ ତରଫରୁ ୱାଡି ଏବଂ ଅନ୍ୟାନ୍ୟ ଯୋଜନାରେ ଆମ୍ବ ତଥା ଅନ୍ୟାନ୍ୟ ଫଳ ଓ ପନିପରିବା ଉତ୍ପାଦନ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସହାୟତା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ପ୍ରଦାନ କରାଯାଉଛି । ତେବେ ଉତ୍ପାଦିତ ଫଳ ଓ ପନିପରିବା ସବୁର ରକ୍ଷଣାବେକ୍ଷଣ ପାଇଁ ଭବିଷ୍ୟତରେ ଏକ ଶୀତଳ ଭଣ୍ଡାରର ନିହାତି ଆବଶ୍ୟକ । ତେଣୁ ସରକାରଙ୍କ ପକ୍ଷରୁ ଜିଲ୍ଲାର କେତେକ ବ୍ଳକରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବା ଦରକାର । ଏଥିପାଇଁ କିଛି ଶୀଳ୍ପଉଦ୍ୟୋଗୀ କିମ୍ବା ଆଗ୍ରହୀ ବ୍ୟକ୍ତି ଯଦି ଆଗ୍ରହ ପ୍ରକାଶ କରନ୍ତି ତେବେ ସେମାନଙ୍କ ଜରିଆରେ ଋଣ ପ୍ରଦାନ କରାଯାଇ ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନା କରାଯାଇପାରିବ । ତେବେ ଇତିମଧ୍ୟରେ କିଛି ଉଦ୍ୟୋଗୀ ଜିଲ୍ଲାରେ କିଛି ଯାଗାରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆବେଦନ କରିଥିଲେ ମଧ୍ୟ କୃଷି ବିଭାଗ ଓ ଋଣପ୍ରଦାନକାରୀ ସଂସ୍ଥା ମଧ୍ୟରେ ତାଳମେଳ ନରହିବା, ବିଭାଗୀୟ କର୍ମଚାରୀ ଏବଂ ବ୍ୟାଙ୍କ କର୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ଅଭିଯୋଗ ହୋଇଛି । କୃଷି ବିଭାଗ ତରଫରୁ କେତେକ ବ୍ଲକରେ ଛୋଟଛୋଟ ଶୀତଳ ଭଣ୍ଡାର ୟୁନିଟ ପ୍ରଦାନ କରାଯାଇଥିଲା । କିନ୍ତୁ, ସେଗୁଡିକ ମଧ୍ୟ ବର୍ତମାନ ଅଚଳ ହୋଇପଡିଥିବା ଜଣାପଡିଛି ଏବଂ ଏହି ୟୁନିଟ ଗୁଡିକରେ ଚାଷିଙ୍କ ଉତ୍ପାଦିତ ପନିପରିବା ରଖିବାପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ସେହି ଅଂଚଳର ଚାଷିମାନେ । ବର୍ତମାନ ଜିଲ୍ଲାର କିଛି ପନିପରିବା ଦଶପଲ୍ଲା ଓ ନୟାଗଡକୁ ଯାଉଛି ଏବଂ ଗ୍ରୀଷ୍ମଋତୁରେ ସେହି ପନିପରିବା ସବୁ ଜିଲ୍ଲାବାସୀ ଚଢ଼ା ଦରରେ କିଣୁଛନ୍ତି । ସେଥିପାଇଁ ଜିଲ୍ଲାରେ ଥିବା ପନିପରିବା ଉତ୍ପାଦନ ଅଂଚଳ ଗୁଡିକରେ ଅନ୍ତତଃ ଶୀତଳ ଭଣ୍ଡାର ନିର୍ମାଣର ଆବଶ୍ୟକତା ଜରୁରୀ ହୋଇପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।