-
ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି
ପୁରୀ, ଧର୍ମ ମାସ ପବିତ୍ର କାର୍ତିକ ମାସ ପଚୁଂକର ତୃତୀୟ ଦିବସରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି । ଅବକାଶ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଛି । ଏହି ବେଶରେ ମହାପ୍ରଭୁ ଚୂଳ ଧାରଣ କରଥାନ୍ତି । କରୋନା କଟକଣାକୁ ଅନୁପାଳନ କରି ସେବାୟତ ମାନେ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି । ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କ ଦର୍ଶନ କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ସେହିପରି ପୁରୀ ସହରବାସୀ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ପୂର୍ବକ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ସେହିପରି ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପଚଂକର ପ୍ରଥମ ଦିବସରେ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତାକାଲି ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ଏବଂ ୧୯ ତାରିଖ କାର୍ତିକ ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ପୂର୍ଣ୍ଣମୀ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଦିନ କେବଳ ସେବାୟତ ମାନେ ସେବା ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରିବେ ।