କନ୍ଧମାଳ, କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗଂଜୁଗୁଡା ପଂଚାୟତ ଆମ୍ବପଡା ଗ୍ରାମର ରାଜବୀର ରଣା । ଏବେ ତାଙ୍କୁ ମାତ୍ର ୨୦ ମାସ । ହେଲେ ସେ ଏକ ଦୂରାରୋଗରେ ପିଡୀତ । ଏହି ରୋଗ ପାଇଁ ଯେ ଏତେ ଅର୍ଥ ଆବଶ୍ୟକ ତାହା ଯେ କେହି ବିଶ୍ୱାସ ବି କରିବ ନାହିଁ । ପିଲାକୁ ବଂଚାଇବାକୁ ହେଲେ ଗୋଟିଏ ଇଂଜେକସନ ଦେବାକୁ ପଡିବ । ଏହାର ଦାମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ । ଇଂଜେକସନ ଦାମ ୧୬ କୋଟି ଟଙ୍କା । ଏହା ଭାରତରେ ମିଳିବ ନାହିଁ । ଟଙ୍କା ଯୋଗାଡ ହେଲେ ଆମେରିକାରୁ ଏହି ଇଂଜେକସନ ମଗାଯିବ । ଯାହା ଦ୍ୱାରା ରାଜବୀରଙ୍କ ଜୀବନ ବଂଚାଇ ହେବ ।
କୁଳମଣୀ ରଣା ଏବଂ ତମଲିକା ଦାସଙ୍କ ପୁଅ ହେଉଛନ୍ତି ରାଜବୀର ରଣା । ୨୦୨୦ ମାର୍ଚ୍ଚ ମାସ ୨୨ ତାରିଖରେ ସେ ଜନ୍ମ ଗ୍ରହଣ କରିିଥିଲେ । ୬ ମାସ ପର୍ଯ୍ୟନ୍ତ ତାଙ୍କଠାରେ ସବୁ ସ୍ୱାଭାବିକ ଲକ୍ଷଣ ପରିଲକ୍ଷିତ ହୋଇଥିଲା । ହେଲେ କିଛି ଦିନ ପରେ ସେ ଅସ୍ୱାଭାବିକ ଭଳି ଲାଗିଲେ । ତାଙ୍କ ଗୋଡ, ହାତ, ପିଠି ସବୁ ତୁଳା ପରି ନରମ ଲାଗିଲା । ମେଡିକାଲ ନେବାରୁ ସେ ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫି ଟାଇପ-୨ରେ ପିଡୀତ ଥିବା ଜଣାପଡିଲା ।
କୁଳମଣୀ ବାଙ୍ଗାଲୋରରେ ସ୍ୱିଗି ଡେଲିଭରି ବୟ ଭାବେ କାମ କରନ୍ତି । ମାସକୁ ରୋଜଗାର ମାତ୍ର ୧୫ ହଜାର ଟଙ୍କା । ଏଭଳି ସ୍ଥିତିରେ ପୁଅ ଦେହ ଖରାପ ହେବାରୁ ସେ ବାଙ୍ଗାଲୋର ସ୍ଥିତ ବାପିଷ୍ଟ ହସ୍ପିଟାଲରେ ପିଲାର ଚିକିତ୍ସା କରାଉଛନ୍ତି । ଏ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଖର୍ଚ୍ଚ ସରି ଗଲାଣି । ଆଉ ସେତେ ଟଙ୍କା ବି ତାଙ୍କ ପାଖରେ ନାହିଁ । ଏପଟେ ସୋସିଆଲ ମିଡିଆ ଏବଂ ଫେସବୁକ୍ରେ ନିବେଦନ କରିବାରୁ ତାଙ୍କ ଆକାଉଂଟରେ ପାଖାପାଖି ୪ ଲକ୍ଷ ଟଙ୍କା ଜମା ହୋଇଥିବା କୁଳମଣୀ କହିଛନ୍ତି । ପୁଅକୁ ବଂଚାଇବାକୁ ହେଲେ ୧୬ କୋଟି ଟଙ୍କା ଆବଶ୍ୟକ । ଏହି ଟଙ୍କାରେ ପୁଅକୁ ଜୋଲଗେନ୍ସମା ଇଂଜେକସନ ଆମେରିକାରୁ କିଣାଯାଇ ଦିଆଯିବ । ପ୍ରତ୍ୟେକଙ୍କ ସ୍ତରରେ ଏବଂ ସରକାରୀ ସହାୟତା ମିଳିଲେ ପୁଅ ବଂଚି ପାରିବ ବୋଲି କୁଳମଣୀ ଆକୁଳ ନିବେଦନ କରିଛନ୍ତି । ଏଥିସହ ତାଙ୍କ ସ୍ତ୍ରୀ ତମଲିକା ମଧ୍ୟ ସୋସିଆଲ ମିଡିଆରେ ପୁଅର ଚିକିତ୍ସା ଲାଗି ସମସ୍ତଙ୍କର ସହାୟତା ଲୋଡ଼ିଛନ୍ତି ।
କୌଣସି ସହୃଦୟ ବ୍ୟକ୍ତି ସହାୟତା ଦେବାକୁ ଚାହିଁଲେ କୁଳମଣୀଙ୍କୁ ଫୋନ ପେ ଏବଂ ଗୁଗୁଲ ପେ ୬୩୬୦୩୭୧୫୯୫ ନଂରେ ଯୋଗାଯୋଗ କରିପାରିବେ ଏବଂ ସିଧାସଳଖ ଅର୍ଥ ଜମା କରିବାକୁ ଚାହିଁଲେ ୟୂନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଫୁଲବାଣୀ ଶାଖା-୬୨୫୦୦୨୦୧୦୦୧୧୬୦୦ ନଂ ଆକାଉଂଟରେ ଦେଇ ପାରିବେ ।