ମାଲକାନଗିରି, କୋରୁକୋଣ୍ଡା ବ୍ଲକ୍ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ମାଲକାନଗିରି ପୁଲିସ୍ ହାତରେ ଧରାପଡ଼ିଛି ୧ କୁଇଣ୍ଟାଲ ଗଞ୍ଜେଇ । ଏହି କାରବାରରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କୋରୁକୋଣ୍ଡା ବ୍ଲକ ଏମ୍ – ୩୨ ଗାଁର ସୁଜନ ବେପାରୀ, ଅଜୟ ବେପାରୀ, ଏମ୍ – ୩୩ ଗାଁର ମନୋଜ ମଣ୍ଡଳ, ମନୋଜ ବର୍ମନ, ଶଙ୍କର ଗୋଲଦାର ଓ ଉତ୍ତରପ୍ରଦେଶର ଗୁଡୁ ସିଂହ । ଚାଲାଣରେ ବ୍ୟବହୃତ ୨ଟି ଗାଡ଼ି ଜବତ କରାଯାଇଛି । ଏହି ଘଟଣା ପରେ ଅଭିଯୁକ୍ତ ସୁଜନର କୋରୁକୋଣ୍ଡା ବଜାରରେ ଥିବା ଦୋକାନ ଏବଂ ଘରେ ଚଢଉ କରିଛି ପୁଲିସ୍ । ଦୋକାନରେ ଥିବା ସମସ୍ତ ସାମଗ୍ରୀର ତାଲିକା ପ୍ରସ୍ତୁତ କରି ଦୋକାନକୁ ସିଲ୍ କରାଯାଇଛି । ଏଥିସହ ସୁଜନ ନାଁରେ ଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଉଦ୍ୟମ ଜାରି ରହିଥିବା ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି ।
ପୁଲିସର ସୂଚନା ଅନୁଯାୟୀ, ସୋମବାର ରାତିରେ ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟରାସ୍ତାର ଏମ୍ଭି – ୧୫ ଗାଁ ନିକଟରେ ପୁଲିସ୍ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଦ୍ରୁତଗତିରେ ଯାଉଥିବା ଦୁଇଟି ଗାଡ଼ିକୁ ପୁଲିସ୍ ସନ୍ଦେହରେ ଅଟକାଇଥିଲା । ଯାଞ୍ଚ ବେଳେ ଗାଡ଼ି ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଘଟଣାସ୍ଥଳରୁ ଗଞ୍ଜେଇ ବୋଝେଇ ଦୁଇ ଗାଡ଼ି ସହ ୬ ଜଣଙ୍କୁ ଅଟକ ରଖି ଥାନାକୁ ଆଣିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ମୋଟ୍ ୧ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଅନ୍ୟପକ୍ଷରେ ଥାନା ଅଧିକାରୀ ଶ୍ରୀ ନାଗଙ୍କ ନେତୃତ୍ବରେ ଏଏସ୍ଆଇ ମୀନାକ୍ଷୀ ଦାସ ଏବଂ ଅନ୍ୟ କର୍ମଚାରୀ ଅଭିଯୁକ୍ତ ସୁଜନର ଘର ଓ ଦୋକାନରେ ଚଢଉ କରିଥିଲେ । ତଦନ୍ତ ଚାଲୁ ରହିଥିବାରୁ ପୁଲିସ୍ ଏନେଇ ଅଧିକ ସୂଚନା ଦେବାକୁ ମନା କରି ଦେଇଛି ।