-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ
ପୁରୀ, କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନାଧିଷ୍ଠିତ ମହାପ୍ରଭୁମାନଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତ ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ପ୍ରାୟ ୫ ଜଣ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି ।
ବାଙ୍କଚୂଡ଼ା ବେଶର ବିଶେଷତ୍ଵ ଏହିକି ଯେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପଡ଼େ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏଠାରେ ଏକ ଛୋଟ ସ୍ୱର୍ଣ୍ଣ କିରୀଟ ମହାପ୍ରଭୁମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ସୁବର୍ଣ୍ଣ ହସ୍ତ ପଦଯୁକ୍ତ ହୋଇଥାନ୍ତି । ଶ୍ରୀ ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳ ମୂଷଳ ଆୟୂଧ ଧାରଣ କରିଥାନ୍ତି । ଏହି ବେଶରେ ଦେବୀ ସୁଭଦ୍ରାଙ୍କର ଆଭୂଷଣ ପରିବର୍ତ୍ତନ ହୁଏ ନାହିଁ । ମାତ୍ର ତାଙ୍କର ମସ୍ତକ ସୁବର୍ଣ୍ଣ କିଆରେ ଶୋଭିତ ହୋଇଥାଏ । ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ଲାଗି ହୁଏ । ଏହି ବେଶ ସ୍ନାନ ପରେ ଆରମ୍ଭ ହୋଇ ବାଳଧୂପ ସମାପ୍ତ ହେବା ପର୍ଯ୍ୟନ୍ତ ରହେ ।