ଭୁବନେଶ୍ୱର, ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କ୍ଷେତ୍ର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତାକାଲି (ବୁଧବାର) ସକାଳ ୬ଟା ୩୦ମିନିଟ୍ ସମୟରେ ଏକ ପଦଯାତ୍ରା (ୱାକାଥନ୍) ଆୟୋଜନ କରାଯିବ । “ସଚ୍ଚୋଟ ଟିକସଦାତାମାନଙ୍କୁ ସମ୍ମାନ” ବିଷୟବସ୍ତୁକୁ ନେଇ ‘ଟ୍ୟାକ୍ସାଥନ୍’ ନାମରେ ଏହି ପଦଯାତ୍ରା ଭୁବନେଶ୍ୱର ରାଜସ୍ୱ ବିହାରସ୍ଥିତ ଆୟକର ଭବନରୁ ବାହାରି ରସୁଲଗଡ଼, ବାଣୀବିହାର, ରାମମନ୍ଦିର (ଜନପଥ), କଳିଙ୍ଗ ଷ୍ଟାଡିୟମ ଦେଇ ପୁନର୍ବାର ଆୟକର ଭବନକୁ ଫେରିବ । ଦୀର୍ଘ ୧୦ କିମି ବ୍ୟାପୀ ଏହି ପଦଯାତ୍ରାରେ ସଚ୍ଚୋଟ ଟିକସଦାତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଟିକସ ପଇଠ କରି ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବା ଲାଗି ସଚେତନତା ସୃଷ୍ଟି କରାଯିବ ।