ବଲାଙ୍ଗିର, ଧାନ ଚାଷୀ ସବୁବେଳେ ସମସ୍ୟା ମଧ୍ୟ ଦେଇ ଗତି କରୁଛି । କେତେବେଳେ କଟନୀ ଛଟନୀକୁ ନେଇ ଦାଉ ସହୁଛନ୍ତି ତ ଆଉ କେତେବେଳେ ସାର ଅଭାବରୁ ଚଢା ଦରରେ ସାର କିଣୁଛନ୍ତି । ଏବେ ଅଦିନିଆ ବର୍ଷା ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ । ଲଘୁଚାପଜନିତ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧିଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକର ବିଭିନ୍ନ ଗ୍ରାମରେ ଲଘୁଚାପଜନିତ ବର୍ଷା ଝିପିଝିପି ହେଉଛି । ବର୍ତ୍ତମାନ ଚାଷୀଙ୍କ ଧାନ ଅମଳର ସମୟ । ଚାଷୀମାନେ କିଛିଦିନ ପୂର୍ବରୁ କ୍ଷେତରେ ଧାନ କାଟିଥିଲେ । ବର୍ତ୍ତମାନ ସେହି କଟା ହୋଇଥିବା ଧାନ ବିଡ଼ା ସବୁ ଲଘୁଚାପଜନିତ ବର୍ଷାରେ ଭିଜିବାରେ ଲାଗିଛି । ଫଳରେ ଜମିରେ ଧାନ ଭିଜି ଗଜା ହେବାର ସମ୍ଭାବନା ଥିବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ପୁଣି ଆସନ୍ତା ୧୯ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଲଘୁଚାପଜନିତ ବର୍ଷା ହେବ ବୋଲି ସୂଚନା ଅଛି । ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।