-
ନାବାଳକ ସମେତ ୫ ଗିରଫ
-
୩ଖଣ୍ଡା, ବାଇକ୍, ସ୍କୁଟି, ୬ଟି ମୋବାଇଲ୍ ଜବତ
ବ୍ରହ୍ମପୁର ଗେଟବଜାରରେ ରହୁଥିବା ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ଗତ ୫ତାରିଖ ସକାଳେ ତାଙ୍କର ସ୍କୁଟିରେ ଘରୁ ବାହାରିଥିଲେ। ସେ ଅନନ୍ତେଇ ଗ୍ରାମରେ ଥିବା ତାଙ୍କର ଫାର୍ମକୁ ଯାଉଥିବା ବେଳେ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ବଡ଼ବଜାର ଥାନା ପୁଲିସ ଏହି ଘଟଣାରେ ପ୍ରଦୀପଙ୍କ ପତ୍ନୀ ଗୀତାଞ୍ଜଳି ବିଷୋୟୀଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ପୁଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଥିଲା। ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରି ଘଟଣାର ତଦନ୍ତ କରାଯାଇଥିଲା। ଶେଷରେ ପୁଲିସକୁ ତଦନ୍ତରେ ସଫଳତା ମିଳିଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୫ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ୩ଟି ଖଣ୍ଡା, ବାଇକ୍, ସ୍କୁଟି ଓ ୬ଟି ମୋବାଇଲ୍ ଜବତ କରାଯାଇଛି। ଘଟଣା ପରେ କିଛି ଅଭିଯୁକ୍ତ ରାଜ୍ୟ ବାହାରକୁ ଫେରାର୍ ହୋଇଯାଇଥିଲେ। ମିଥୁନକୁ ପଞ୍ଜାବରୁ ଅଣାଯାଇଥିବା ବେଳେ ସାଗର ଓ ନନ୍ଦନକୁ ଦିଲ୍ଲୀରୁ ଧରାଯାଇଥିଲା। ସେହିପରି ଜୟସେନକୁ ରାଉରକେଲାରୁ ଗିରଫ କରାଯାଇଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ଜେରା କରିବା ପରେ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ପୋଖରୀରୁ ଦୁଇଟି ଖଣ୍ଡା ଜବତ ହୋଇଥିଲା। ଘଟଣା ଦିନ ଅଭିଯୁକ୍ତମାନେ ପ୍ରଦୀପଙ୍କୁ ପିଛା କରିଥିଲେ। ତାଙ୍କୁ ସୁକୁଣ୍ଡା ରାସ୍ତାରେ ଅଟକାଇ ହଠାତ୍ ଖଣ୍ଡାରେ ହାଣି ହତ୍ୟା କରିଥିଲେ। କେସ୍ ନମ୍ବର ୨୨୭/୨୧ରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟାଉନ୍ ଏସ୍ଡିପିଓ, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପ୍ରମୁଖ ଉପସ୍ଥିତ ଥିଲେ।