ସାକ୍ଷିଗୋପାଳ,ଆଜି କାର୍ତିକ ମାସର ବଡ଼ ଏକାଦଶୀ । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥାନ୍ତି ସାକ୍ଷିଗୋପାଳ । ଏହି ବିଶେଷ ତିଥିରେ ଶ୍ରଦ୍ଧାଳୁମାନେ ନିଜର ମନବାଞ୍ଛା ପୂର୍ଣ୍ଣ ପାଇଁ ଠାକୁରଙ୍କ ନିକଟରେ ଚୁଡ଼ାଘଷା ଭୋଗ ଲାଗି କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ଭକ୍ତ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ଆଜି ଭୋର୍ ୪ ଟା ଠାରୁ ରାତ୍ର ୧୧ ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ମନ୍ଦିର ପ୍ରବେଶର ଅନୁମତି ରହିଛି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ସାକ୍ଷୀଗୋପୀନାଥଙ୍କ ପୂଜାର୍ଚ୍ଚନା ସହ ସମସ୍ତ ନୀତିକାନ୍ତି ଜାରୀ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଆଜିର ଏହି ବିଶେଷ ନୀତିକାନ୍ତି ପାଇଁ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା, ଭୋର୍ ସାଢ଼େ ୪ଟାରେ ମଙ୍ଗଳଆଳତୀ, ୫ଟାରେ ମର୍ଦ୍ଦନ ଅବକାଶ, ସକାଳ ୬ଟା ସୁଦ୍ଧା ଲକ୍ଷ୍ମୀନାରାୟଣ ବେଶ ସମ୍ପନ୍ନ ହୋଇଥିଲା । ଏହା ପରେ ସକାଳ ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା । ସକାଳ ସାଢ଼େ ୮ଟା ସୁଦ୍ଧା ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ମଦମୋହନଙ୍କ ଭୋଗ ହୋଇଥିଲା । ଅପରାହ୍ନ୨ଟାରେ ବେଶ ମଇଲମ, ଅପରାହ୍ନ ସାଢ଼େ ୨ଟାରେ ବୀରକେଶରୀ ବଲ୍ଲଭ । ଅପରାହ୍ନ ସାଢ଼େ ୪ଟା ରେ ଦ୍ୱିପ୍ରହର ବେଶ ଓ ଦ୍ୱିପ୍ରହର ଧୂପ ନୀତି ସମାପନ ହୋଇଥିଲା । ଅପରାହ୍ନ ୫ଟାରେ ପାଳିଆ ପରିବର୍ତନ କରାଯାଇଥିଲା । ଏହା ବ୍ୟତୀତ ଅପରାହ୍ନ ୫ଟା ୧୫ ମିନିଟ୍ ରେ ସଂନ୍ଧ୍ୟା ଆଳତୀ, ୫ଟା ୪୫ରେ ଗୋଧନ ବାହୁଡ଼ା ଭୋଗ, ସଂନ୍ଧ୍ୟା ସାଢ଼େ ୬ଟାରେ ସଂନ୍ଧ୍ୟାଧୂପ ବେଶ, ରାତି ୮ଟାରେ ଏକାଦଶୀ ବେଢ଼ା ଓ ଭୋଗ । ରାତି ୯ଟାରେ ସଂନ୍ଧ୍ୟାଧୂପ ନୀତି ସମ୍ପନ୍ନ ହେବ । ଏହାପରେ ବଡ଼ସିଂହାର ବେଶ ଓ ଭୋଗ ଏବଂ ଦେବ ଉତଥାପନ ନୀତି ରାତି ୧୦ଟାରେ ସମ୍ପନ୍ନ ହେବା ପରେ ପୁଷ୍ପାଞ୍ଜଳି ଓ ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ସୂତ୍ରରୁ ପ୍ରକାଶ ।