
କେନ୍ଦୁଝର, ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାର ୧୦୦ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ରବିବାର ସଂଧ୍ୟା ୫ ଟା ପରେ ପରେ ରାଜ୍ୟ ସଦର ମହକୁମାରୁ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ୧୩ଟି ବ୍ଲକର ୧୦୦ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍କୁଲରେ ତିଆରି ହୁଅନ୍ତି ଦେଶର ଭବିଷ୍ୟତ । ସ୍କୁଲ ଜୀବନ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ପିଲାମାନଙ୍କୁ ସେମାନଙ୍କର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ । ମୁଁ ଚାହେଁ ମୋ ରାଜ୍ୟର ପିଲାମାନେ ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ, ସମାଜସେବା କ୍ଷେତ୍ରରେ ଗୌରବ ଆଣନ୍ତୁ । ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ୱପ୍ନ ଦେଖନ୍ତୁ ଓ ଜୀବନରେ ସବୁ ଆହ୍ୱାନକୁ ସାମନା କରି ଆତ୍ମ ବିଶ୍ୱାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ବିଦ୍ୟାଳୟ ରୂପାନ୍ତରଣର ଲକ୍ଷ୍ୟ । ଓଡିଶାରେ ଶିକ୍ଷା ବିକାଶ କ୍ଷେତ୍ରରେ ବିଦ୍ୟାଳୟ ରୂପାନ୍ତରୀକରଣ ସବୁବେଳେ ସ୍ୱତନ୍ତ୍ର ହୋଇ ରହିବ । ମୁଁ ବହୁତ ଖୁସି ଯେ, ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲର ଲୋକାର୍ପଣ ଚାଲୁ ରହିଛି ଓ ଏହା ୨୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ୫-ଟି ହେଲା ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମାନ୍ସ । ଏହାହିଁ ରୂପାନ୍ତରକୁ ସମ୍ଭବ କରି ପାରିଛି । ଟେକ୍ନୋଲୋଜି ଆମକୁ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଓ ଆଧୁନିକ ଲାବରାଟୋରୀର ସୁବିଧା ଦେଇଛି । ସେହିପରି ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ । ନଭେମ୍ବର ୧୪ ସୁଦ୍ଧା ନିର୍ଦ୍ଧାରିତ ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି । ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ବଳରେ ଏହା ଠିକ୍ ସମୟରେ ଶେଷ ହୋଇଛି । ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା ହେଉଛି ସ୍କୁଲମାନଙ୍କର । ଯାହା କିଛି ପରିବର୍ତନ ହୋଇଛି ତାହା ଅଂଚଳବାସୀଙ୍କ ସହ ଆଲୋଚନା କରାଯାଇ କରାଯାଇଛି । ସ୍ୱଚ୍ଛତା ହେଉଛି ୫-ଟିର ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖି ପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ । ଏହାଦ୍ୱାରା ଗାଁ ଓ ସହର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା- ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ଆଦି ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ପିଲାମାନଙ୍କ ପାଇଁ ୧୫ ଶତକଡା ଆସନ ସଂରକ୍ଷଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ବିଶ୍ୱାସ ପିଲାମାନେ ଭଲ ପାଠ ପଢି ଭଲ କାମ କରି ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବେ । ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରର ନବମ ଶ୍ରେଣୀ ଛାତ୍ରୀ ଲୋପାମୁଦ୍ରା ମହାନ୍ତଙ୍କ ସହ ବାର୍ତାଳାପ କରିଥିଲେ । ରୂପାନ୍ତରିତ ହେବା ପରେ ସ୍କୁଲ ପରିବେଶ କିପରି ଲାଗୁଛି, ଶିକ୍ଷାର ସୁବିଧା କେମିତି ପାଉଛନ୍ତି ଏବଂ ଭବିଷ୍ୟତରେ କ’ଣ ହେବା ପାଇଁ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରେମାନନ୍ଦ ନାୟକ, କେନ୍ଦୁଝର ଲୋକସଭା ସଦସ୍ୟା ଇଂ. ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଜିଲ୍ଲାପାଳ ଆଶିଷ ଠାକରେ ଯୋଗଦେଇ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।ରାଜ୍ୟସ୍ତରରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ୫-ଟି ସବିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସରକାରୀ ବିଦ୍ୟାଳୟରେ ପଢିବାର ନିଜ ଅନୁଭୂତି ଉପରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ । ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।