
ଭବାନୀପାଟଣା, ଜାତୀୟ ସ୍ତରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଏକ ସ୍ପର୍ଧିତ ଉଚ୍ଚାରଣ, ଡକ୍ଟର ସୁନୀତି ମୁଣ୍ଡ୍ । ନିର୍ଦିଷ୍ଟ କ୍ଷେତ୍ରରେ ଅନୁବନ୍ଧିତା ନ ହୋଇ, ଲେଖିକା, ସଂପାଦିକା, ପ୍ରକାଶିକା, ସଂଗଠିକା, ସମାଜସେବୀ, ପ୍ରଯୋଜିକା ଏବଂ ଟେଲି ସିରିଏଲ ନିର୍ଦ୍ଦେଶିକା ରୂପେ ଆପଣ ବନ୍ଦନୀୟା ଏବଂ ଅଭିନନ୍ଦନୀୟା । ଏଯାବତ୍ ୨୨ଟି ପୁସ୍ତକର ରଚୟିତା ଡ. ମୁଣ୍ଡ୍ ଆନ୍ତର୍ଜାତୀୟ ଜୟପୁର (ରାଜସ୍ଥାନ) ଲିଟେରାରୀ ଫେଷ୍ଟିଭାଲରେ ୨୦୧୪ ମସିହାରେ ଏକକାଳୀନ ୧୪ଟି ପୁସ୍ତକ ଉନ୍ମୋଚନ କରି ଏକ ବିରଳ ଅଭିଲେଖ ସୃଷ୍ଟି ପୂର୍ବକ ‘କ୍ରିଏଟିଭ ରାଇଟିଂ’ ଭଳି ଗବେଷଣାତ୍ମକ କାର୍ଯ୍ୟ ପାଇଁ ୨୦୧୭ରେ ମହୀଶୂର ବିଶ୍ୱବିଦ୍ୟାଳୟଠାରେ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତି ଏକ ଅନନ୍ୟ ଉପଲବ୍ଧି। ଦାରିଦ୍ର୍ୟମ ପାଇଁ ଏକଦା ଚର୍ଚ୍ଚିତ କଳାହାଣ୍ଡିର ବିଭିନ୍ନ ସମସ୍ୟାକୁ ନେଇ ଏକାଧିକ ଦୈନିକ ଖବରକାଗଜରେ ନିରନ୍ତର ରିପୋର୍ଟ ପ୍ରକାଶିତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ କଳାହାଣ୍ଡି ଲେଖିକା ସଂସଦର ପ୍ରତିଷ୍ଠାତା ସମ୍ପାଦିକା ସୁନୀତି ଜିଲ୍ଲାର ମହିଳାମାନଙ୍କ ସ୍ୱରକୁ ଆଗକୁ ଆଣିବାରେ ‘କଳ୍ପିତା’ ନାମରେ ଏକ ପତ୍ରିକା ଆରମ୍ଭ କରି କଳାହାଣ୍ଡିର ଲେଖିକାଙ୍କୁ ପ୍ରୋତ୍ସାହିତ କରି ଏକ ଯଥାର୍ଥ ଉଦାହରଣ ସୃଷ୍ଟି କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାକୁ ଆମେରିକାର ଏକ ପ୍ରକାଶନ ସଂସ୍ଥା ସହିତ ଚୁକ୍ତିବଦ୍ଧ ହୋଇ ସେଠାରୁ ଏକ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ସଂପାଦିକା ଭାବେ କାର୍ଯ୍ୟ ତୁଲାଇ ଭାରତ ବାହାରେ ଥିବା ଓଡିଆଙ୍କଠାରେ ଓଡିଆ ଭାଷାକୁ ବଂଚାଇ ରଖିବା ଆପଣଙ୍କ ପାର୍ଥିବ ପରିପ୍ରକାଶ । ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀଙ୍କ ଦ୍ୱାରା ରାଜସ୍ଥାନ ଭଳି ଏକ ସଂସ୍କୃତିସଂପନ୍ନ ରାଜ୍ୟର ସର୍ଭେରେ ଯାଇ ସେ ଏହି ୧୦ ବର୍ଷ ଭିତରେ ସାରା ଭାରତ ଭ୍ରମଣ କରି ଭାରତର ସମସ୍ତ ରାଜ୍ୟର ସଂସ୍କୃତି ଓ ଜୀବନଧାରାକୁ ‘ଭାରତ ଭ୍ରମଣ’ ନାମକ ପୁସ୍ତକରେ ଲିପିବଦ୍ଧ କରିଛନ୍ତି ଯାହା ଭାରତ ବାହାରେ ବିଭିନ୍ନ ଦେଶରେ ଭାରତକୁ ପ୍ରତିନିଧିତ୍ୱ କରିବାରେ ବହୁ ସହାୟକ । ସାହିତ୍ୟକୁ ନେଇ ନିଜର ସ୍ୱତନ୍ତ୍ର ପରିଚୟ ବନାଇଥିବା କଳାହାଣ୍ଡିର ଝିଅ ଡକ୍ଟର ସୁନୀତି ମୁଣ୍ଡ୍ ଭାଷା, ସାହିତ୍ୟ, ସଂସ୍କୃତିର ମହକକୁ ଜାତୀୟ ସ୍ତର ଯାଏଁ ପହଞ୍ଚାଇବାରେ ତାଙ୍କର ଅହରହ ପ୍ରୟାସ ଜାରି ରହିଛି । ଜଣେ କଳାହାଣ୍ଡିର ଝିଅ ନିରବଚ୍ଛିନ୍ନ ଭାବରେ ଏହି ସମସ୍ତ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ କଳାହାଣ୍ଡି ମାଟି ଶ୍ରଦ୍ଧା ଏବଂ ସମ୍ମାନ ସୂଚକ ସମ୍ମାନ ପ୍ରଦାନ କରାଯାଅଛି ।