କନ୍ଧମାଳ, କନ୍ଧମାଳ ଜିଲ୍ଲାରୁ ଉତ୍ପାଦନ ହେଉଥିବା ହଳଦୀର ସାରା ଭାରତ ବର୍ଷରେ ଏପରିକି ବିଶ୍ୱ ସ୍ତରରେ ସ୍ୱତନ୍ତ୍ର ଚାହିଦା ରହିଛି । ସେଥିପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ହଳଦୀ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା ଓ ସଂସ୍ଥା ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଆସୁଛନ୍ତି । ଚାଷୀ ମାନଙ୍କଠାରୁ କିଛି ସଂସ୍ଥା ହଳଦୀ କିଣିବା ପରେ ତାକୁ ଉପଯୁକ୍ତ ପ୍ରଣାଳୀରେ ହଳଦୀ ଗୁଣ୍ଡକୁ ପ୍ୟାକେଟ୍ କରି ବଜାରକୁ ଏପରିକି ସାରା ଦେଶ ଓ ଦେଶ ବାହାରକୁ ମଧ୍ୟ ରପ୍ତାନୀ କରିଥାନ୍ତି । ପ୍ରକୃତ ପକ୍ଷରେ କନ୍ଧମାଳ ଜିଲ୍ଲାର ହଳଦୀ ଖଣ୍ଡ(ଫିଙ୍ଗର) ଯେଉଁ ହଳଦୀକୁ ଆମେ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରିବା ଉଚିତ ସେଥିରେ କୁର୍କୁମିନ ନାମକ ଏକ ପ୍ରକାର ଔଷଧିୟ ଗୁଣ ୨.୫ ପ୍ରତିଶତରୁ ୩.୫ ପ୍ରତିଶତ ରହିଥାଏ । ଫଳରେ ତାହା ଖାଦ୍ୟ ଉପଯୋଗୀ ହେବା ସହିତ ଏହା ଔଷଧିୟ ଗୁଣଯୁକ୍ତ ହୋଇଥାଏ ଏବଂ ସେଥିପାଇଁ ଏହାର ଚାହିଦା ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରହିଛି । ଏହି ହଳଦୀରେ ଆଉ ଗୋଟିଏ ଜିନିଷ ରହିଛି ଯାହାକୁ ଚିରାନାଲି ବୋଲି ସ୍ଥାନୀୟ ଭାଷାରେ କୁହାଯାଇଥାଏ ଯାହା ହଳଦୀ ଉତ୍ପାଦନ ପରେ ଯେଉଁ ଗଣ୍ଠି ଭଳି ଜିନିଷ ରହିଯାଏ ତାକୁ ମା ଗଣ୍ଠି ବୋଲି କହିଥାଆନ୍ତି । ସ୍ଥାନୀୟ ଲୋକେ ଏହାକୁ ପରବର୍ତି ବର୍ଷ ବିହନ ଭାବରେ ବ୍ୟବହାର କରିଥାଆନ୍ତି । ମା ଗଣ୍ଠିରୁ ହଳଦୀ ଅମଳ ପରେ ତାହା ଶୁଖି ଫମ୍ପା ଏବଂ ଗାଢ଼ା ହଳଦୀ ରଙ୍ଗ ଧାରଣ କରେ । ତାକୁ ସ୍ଥାନୀୟ ଭାଷାରେ ଚିରାନାଲି ବୋଲି କୁହାଯାଏ । ଏହି ଚିରାନାଲିରୁ ହଳଦୀ ବାହାରେ ନାହିଁ, କିନ୍ତୁ ସେଥିରୁ ପ୍ରକୃତ ହଳଦୀ ଠାରୁ ତିନି ଚାରି ଗୁଣ ଅଧିକ ବାସ୍ନା ସହିତ ସେଥିରୁ ମାତ୍ରାଧିକ ଭାବରେ ଗାଢ ହଳଦୀ ରଙ୍ଗ ବାହାରିଥାଏ । ସେହି ଚିରାନାଲି ଖାଦ୍ୟ ଉପଯୋଗୀ ହୋଇନଥାଏ । ଏହି ଚିରାନାଲିକୁ ଲୁଗା ପଟା ଏବଂ କପଡାକୁ ରଙ୍ଗ କରିବା କାର୍ଯ୍ୟରେ ସାଧାରଣତଃ ବ୍ୟବହାର କରାଯାଇଥାଏ । ସେଥିପାଇଁ ଏହାକୁ କିଲୋ ପିଛା ୪୦ ଟଙ୍କା ହିସାବରେ କପଡାରେ ରଙ୍ଗ ଦେଉଥିବା କମ୍ପାନୀ ଗୁଡିକ କିଣି ନେଇଥାଆନ୍ତି ଏବଂ ସେମାନେ ଏହାକୁ ବିଭିନ୍ନ କପଡାରେ ରଙ୍ଗ ଦେବା କାର୍ଯ୍ୟରେ ବ୍ୟବହାର କରିଥାନ୍ତି । କିନ୍ତୁ, ବର୍ତମାନ କନ୍ଧମାଳରେ ଏବଂ ଫୁଲବାଣୀରେ କନ୍ଧମାଳ ହଳଦୀ ଗୁଣ୍ଡ ତିଆରି ପାଇଁ ବିଭିନ୍ନ ନାମରେ ଛତୁ ଫୁଟିବାଭଳି ହଳଦୀ ଗୁଣ୍ଡ କମ୍ପାନୀ ସବୁ ଖୋଲିଲାଣି । ସେହି କମ୍ପାନୀ ମାନଙ୍କ ମଧ୍ୟରୁ କେତେକ କୌଣସି ଲାଇସେନ୍ସ ନଥାଇ ମଧ୍ୟ ନିଜ ନିଜ ଘରେ ଗୋଟିଏ ଲେଖାଏଁ ମିଲ୍ ବସାଇ ସେଥିରେ ପ୍ରକୃତ ହଳଦୀ ଖଣ୍ଡ (ଫିଙ୍ଗର) କିଲୋ ପିଛା ୬୦ ଟଙ୍କାରେ ନକିଣି ଏହି ଚିରାନାଲିକୁ ୩୫ ରୁ ୪୦ ଟଙ୍କା କିଲୋ ପିଛା କିଣି ତାକୁ ଗୁଣ୍ଡ କରି ସେଥିରେ ପ୍ରାୟ ୭୦ ପ୍ରତିଶତ ଖୁଦଗୁଣ୍ଡ ମିଶାଇ ସେଥିରେ କିଛି କେମିକାଲ ରଙ୍ଗ ମିଶାଇ କନ୍ଧମାଳ ହଳଦୀ ନାମରେ ପ୍ୟାକେଟ୍ କରି ଲୋକଙ୍କୁ ବିକ୍ରି କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଉଛନ୍ତି । କିଛି ଲାଭଖୋର ବ୍ୟବସାୟୀ ରାଜ୍ୟର ଅନେକ ଜିଲ୍ଲାରେ ଏହି ଚିରାନାଲି ଗୁଣ୍ଡରେ ଖୁଦ ଗୁଣ୍ଡ ମିଶ୍ରଣ କରି ହଳଦୀ ଗୁଣ୍ଡ ଭାବରେ ବିକ୍ରିକରି ଭଲ ଲାଭାନ୍ୱିତ ହେଉଛନ୍ତି । ଲୋକେ ମଧ୍ୟ କନ୍ଧମାଳ ହଳଦୀ ନାମରେ ଏହି ନକଲି ଏବଂ ଖୁଦ ଗୁଣ୍ଡ ଓ କଲର ମିଶା ହଳଦୀ ଗୁଣ୍ଡକୁ ଆଗ୍ରହରେ ନେଇ ବ୍ୟବହାର କରୁଛନ୍ତି । ତାହାର ତଦାରଖ ପାଇଁ ମଧ୍ୟ ଫୁଡ ଇନିସପେକ୍ଟର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ତେବେ କନ୍ଧମାଳ ହଳଦୀ ନାମରେ ଏହି ଅପମିଶ୍ରିତ ହଳଦୀଗୁଣ୍ଡ ବିକ୍ରି ଏବଂ ଏହାର ବ୍ୟବସାୟ ବନ୍ଦ କରାଇବା ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ହେବା ଦରକାର, ନଚେତ୍ କନ୍ଧମାଳ ହଳଦୀ ନାମରେ ଲୋକେ ଅପମିଶ୍ରିତ ହଳଦୀ ଗୁଣ୍ଡ ଖାଇ ଆଗକୁ ଅସୁସ୍ଥ ହେବାର ଆଶଙ୍କା ରହିଛି । ଏହା ସହିତ ପ୍ରକୃତ ଅସଲି କନ୍ଧମାଳ ହଳଦୀ ତିଆରି କରି ଲୋକଙ୍କୁ ବିକ୍ରି କରୁଥିବା ଲୋକେ ଏହାଦ୍ୱାରା ହତୋତ୍ସାହିତ ହୋଇଯିବା ସହିତ ଏହାର ପରିଣାମ ଜିଲ୍ଲାର ହଳଦୀ ଚାଷୀଙ୍କ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି । ସେଥିପାଇଁ ଜିଲ୍ଲାରେ ଅନେକ ହଳଦୀ ଚାଷୀ ଏବେ ହଳଦୀ ଚାଷ ବନ୍ଦ କରିସାରିଲେଣି ।
ଏଠାରେ ଉଲ୍ଲେଖଯୋଗ୍ୟ, କନ୍ଧମାଳ ହଳଦୀ ଏହାର ଉତ୍କୃଷ୍ଟ ମାନ ପାଇଁ ପୂର୍ବରୁ ଜି.ଆଇ. ଟ୍ୟାଗ୍ ମାନ୍ୟତା ପାଇଛି ।