ମାଲକାନଗିରି, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ପଡିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ । ଏହି ଅବସରରେ ମାଲକାନଗିରି ଡେପୁଟି କଲେକ୍ଟର ଧ୍ରୁବ ମୁଦୁଲି ମୁଖ୍ୟ ଅତିଥି ଏବଂ ପଡିଆ ବିଡିଓ ରଘୁନାଥ ମୁଣ୍ଡାରି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦେବା ମାଡକାମୀ, ବିଧାୟକ ପ୍ରତିନିଧି କୋଟମ ବାଲାୟା, ଜିଲ୍ଲା ନିୟୋଜନ ଅଧିକାରୀ ମନମ୍ବୀ ସେଠୀ, ଏସିଡି ଶାଶ୍ୱତୀ ରାଉତ, ଡିସି ଜିତେନ୍ଦ୍ର ପାତ୍ର, ଏସଡିସି ରତନ ଗୋଲଦାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ୨୨୪ ଜଣ ବେରୋଜଗାର ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ଟ୍ରେଡ୍ରେ ଜଡ଼ିତ କରାଯାଇଥିଲା । ଏଥିସହ ନିଲିଗୁଡ଼ା, ଉଣ୍ଡୁରୁକୋଣ୍ଡା, ପଡ଼ିଆ ପଞ୍ଚାୟତସ୍ତରୀୟ ବିଭିନ୍ନ ସଂଘ ଦ୍ବାରା ନାଟକ, ସଂଗୀତ, ନୃତ୍ୟ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦକ୍ଷତା ବିକାଶରେ ଉତ୍କୃଷ୍ଟତା ପାଇଁ ପଡ଼ିଆ ପଞ୍ଚାୟତସ୍ତରୀୟ ସଂଘ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତିକରଣ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ସିଆରପି ଚମ୍ପା ବିଶ୍ବାସଙ୍କୁ ସମ୍ମାନିତ କରାଯାଇଛି । ବିପିଏମ୍ ଅନୁପ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଏଲସି ଅମିତ ନମଦାସ ସହଯୋଗ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ପଡିଆ ପଞ୍ଚାୟତ ସମିତିର ସମସ୍ତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ପ୍ରାୟ ୬୦୦ରୁ ଊର୍ଦ୍ଧ୍ଵ ଯୁବକ ଓ ଯୁବତୀ ଉପସ୍ଥିତ ଥିଲେ ।