ପଟ୍ଟାମୁଣ୍ଡାଇ,ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତ ଉଜୁଡ଼ି ଯିବାର ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ୮୦ ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଥିବା ଧାନ ଫସଲ ଚାଷୀଙ୍କ ଖଳାକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଚଳିତ ବର୍ଷ ଖରିଫ ଋତୁ ଆରମ୍ଭରେ ଅନାବୃଷ୍ଟି କାରଣରୁ ଗଜା ମରୁଡି ଓ ଫସଲ ହାନୀ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଅଣ ଜଳସେଚିତ ଚାଷ ଜମିରେ ରୁଆପୋତା କରିବା ସମ୍ଭବ ହୋଇପାରି ନଥିଲା । ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ପାଣି ପମ୍ପ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଚାଷ ଜମିକୁ ପାଣି ମଡାଇ ଫସଲ ଫଳାଇଥିଲେ । ରୁଆପୋତା ପରେ ପରେ ଲଘୁଚାପଜନିତ ଲଗାଣ ବର୍ଷା ଚାଷ ଜମିକୁ ବୁଡାଇ ରଖିବା ଫଳରେ ସଦ୍ୟ ଋଆପୋତା କରାଯାଇଥିବା ଧାନ ତଳି ଗୁଡିକ ଅଧିକାଂଶ ଚାଷଜମିରେ ବୁଡି ନଷ୍ଟ ହୋଇ ଯାଇଥିଲା । ଚାଷୀମାନେ ଧାରକରଜ କରି ପୁନର୍ବାର ତଳିପକାଇ ଫସଲ ନଷ୍ଟ ହୋଇଥିବା ଚାଷ ଜମିରେ ଆଉଥରେ ତଳିରୁଆ କାର୍ଯ୍ୟ କରିଥିଲେ ।ଚାଷ ସମୟ ଗଡିଯାଉଥିବାରୁ ପଛରେ ଫସଲ ରୁଆପୋତା କରାଯାଇଥିବା କାରଣରୁ ଚାଷ ଜମିରେ ଅଧିକ ପରିମାଣରେ ସାର ଓ ଔଷଧ ପ୍ରୟୋଗ କରିବା ପାଇଁ ଚାଷୀମାନେ ବାଧ୍ୟ ହୋଇଥିଲେ । ଫଳରେ ଚାଷୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ଶତକଡା ୬୦ ରୁ ୭୦ ଭାଗ ଫସଲ ଚାଷୀମାନେ ଆଦାୟ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଲଘୁଚାପ ଜନିତ ଅଦିନିଆ ବର୍ଷା ସବୁକିଛି ଓଲଟପାଲଟ କରିଦେଲା । ଏବେ ପାଚିଲା ଧାନ ବିଲରେ ବର୍ଷା ପାଣି ଜମି ରହି ଫସଲ ହାନିର ସୂଚନା ଦେଉଛି । ଅନ୍ୟପକ୍ଷରେ ପାଣି ପାଗ ବିଭାଗ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ସୂଚନା ଦେବାପରେ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡା ସମେତ ତାତନା, ମଠସାହ, ବେଲତଳ, ମାଟିଆ, ନରସିଂହପୁର, ଡିଆପଡା, ବଡମୁଳବସନ୍ତ, ନିଳକଣ୍ଠପୁର, ଛେଦରା, ଗୁଣୁପୁର ଆଦି ଭେଡା ଓ ଚାଷଜମିରେ ଫସଲ ହାନି ଆଶଙ୍କା ଦେଖାଦେଇଥିବା ବେଳେ ପଟ୍ଟାମୁଣ୍ଡାଇର ଧୋୟାଅଂଚଳରେ ଥିବା ଚାଷ ଜମିରେ ମଧ୍ୟ ଅଦିନିଆ ବର୍ଷା ପାଣି ଜମି ରହି ବ୍ୟାପକ ବିରି ଓ ଧାନ ଫସଲ ନଷ୍ଟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷକର ଦାନା ଉଜୁଡି ଯିବାକୁ ବସିଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି ।