ମାଲକାନଗିରି, ତିନି ଦିନ ପୂର୍ବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ଗସ୍ତରେ ଆସିଥିବାବେଳେ ମାଲକାନଗିରି ପୋଲାଭରମ ପ୍ରକଳ୍ପ ସମେତ ଆନ୍ଧ୍ର ଓଡିଶା ସୀମାନ୍ତ ମାଲକାନଗିରି ଜିଲାରେ ମାଓ ଦମନ ଓ ସୀମାନ୍ତରେ ଗଞ୍ଜେଇ ଚାଷ ନିମନ୍ତେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା । ମାଲକାନଗିରି ଜିଲା ସୀମାକୁ ଲାଗି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା, ପୂର୍ବ ଗୋଦାବରୀ ଜିଲା ସମେତ ତେଲେଙ୍ଗାନାର ଭଦ୍ରାଦ୍ରି ଜିଲା ମଧ୍ୟ ରହିଛି । ତେବେ ପୂର୍ବ ଗୋଦାବରୀ, ବିଶାଖାପାଟଣା ଜିଲ୍ଲା ସମେତ ମାଲକାନଗରି ଜିଲା ପୁଲିସ ମିଳିତ ଭାବେ ମାଓ ଦମନ ଅଭିଯାନ ଆରମ୍ଭ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ତିନୋଟି ଜିଲାର ପୁଲିସ ବାହିନୀକୁ ନେଇ ସ୍ବତନ୍ତ୍ର ଭାବେ ଏକ ଦମନ ବାହିନୀ ଗଠନ କରାଯିବ । ଏଥିରେ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ଯବାନ, ଓଡିଶାର ଏସ୍.ଓ.ଜି. ଓ ଡିଭିଏଫ ବାହିନୀ ସମେତ ବି.ଏସ୍.ଏଫ୍ . ଓ କୋବ୍ରା ବାହିନୀକୁ ନିୟୋଜିତ କରାଯାଇ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀ ମୂଳୋତ୍ପାଟନ କରିବାକୁ ଯୋଜନା କରାଯାଇଛି । ଏ ନେଇ ଚିତ୍ରକୋଣ୍ଡାରେ ସ୍ବତନ୍ତ୍ର ଏସ୍.ଆଇ.ଡବ୍ଲ୍ୟୁ ( ସ୍ପେସାଲ ଇଣ୍ଟିଲିଜେନ୍ସ ଉଇଙ୍ଗ ) ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା କାର୍ଯ୍ୟ କରିବ । ଆଇ.ପି.ଏସ୍ . ସ୍ତରରେ ଉଭୟ ରାଜ୍ୟର ଆଇ.ଜି.ଙ୍କ ଦ୍ଵାରା ଏହି ମାଓ ଅଭିଯାନ ଦମନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସମ୍ପୂର୍ଣ୍ଣ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ କରାଯିବା ସହ ଆବଶ୍ୟକ ସ୍ଥଳେ ବାୟୁସେନାର ହେଲିକେପ୍ଟର ନିୟୋଜିତ କରାଯାଇ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ, ପଣସପୁଟ, ରାଲେଗେଡା, ପାପରମେଟଲା ଆଦି ଅଞ୍ଚଳ ସମେତ ଆନ୍ଧ୍ରପ୍ରଦେଶର ଚିନ୍ତାପାଲି ବ୍ଲକ ଅଧିନ କୋରକଣ୍ଡା, ବାଲପମ ପଞ୍ଚାୟତରେ ଉଭୟ ରାଜ୍ୟ ପକ୍ଷରୁ ମିଳିତ ଭାବେ ମାଓ ଦମନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ବଛାବଛା ଯବାନଙ୍କୁ ନେଇ ସମ୍ପୂର୍ଣ୍ଣ ସ୍ଵାଭିମାନ ଅଞ୍ଚଳରେ ଆଗାମୀ ଡିସେମ୍ବର ମାସରୁ ପୁଲିସ ଛାଉଣି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ସ୍ଵାଭିମାନ ଅଞ୍ଚଳରେ ଆଉ କିଛି ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ମାଓବାଦୀ ଯେପରି ବାଧକ ନ ସାଜନ୍ତି ଏବଂ ଅବାଧ ନିରପେକ୍ଷ ହିଂସାମୁକ୍ତ ନିର୍ବାଚନ ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶକୁ ସହାୟତା ଲୋଡ଼ାଯାଇଥିଲା । ମାଓ ଭୟରେ ସ୍ବାଭିମାନ ଅଞ୍ଚଳର ୧୮ଟି ପଞ୍ଚାୟତରେ ଗତ ୨୦୧୭ରେ ପଞ୍ଚାୟତ ନିର୍ବାଚନ ହୋଇପାରି ନ ଥିଲା । ମାଓବାଦୀଙ୍କ ଭୋଟ ବର୍ଜନ ଓ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରିବାକୁ ଧମକ ଦେବା ପରେ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରି ନ ଥିଲେ । ତେଣୁ ବାଧ୍ୟ ହୋଇ ଏଠାରେ ନିର୍ବାଚନ ବନ୍ଦ ରହିଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ବିଗତ ଦିନର ବୁଡି ଅଞ୍ଚଳ ଏବେ ସ୍ଵାଭିମାନ ଅଞ୍ଚଳରେ ପରିଣତ ହୋଇଛି । ମାଓଗଡ଼ କୁହାଯାଉଥିବା ଯୋଡ଼ାମ୍ବ, ପାପରମେଟଲା, ହନ୍ତାଳଗୁଡ଼ା ପ୍ରଭୃତି ଅଞ୍ଚଳରେ ବି.ଏସ୍.ଏଫ ପକ୍ଷରୁ କ୍ୟାମ୍ପ ନିର୍ମାଣ ପରେ ଲାଲବାହିନୀ ପଛଘୁଞ୍ଚା ଦେଇଥିବାବେଳେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ଯବାନ । ଏଭଳି ସ୍ଥିତିରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓ ସଂଗଠନର ଛାମୁଆ ବାହିନୀ କୁହାଯାଉଥିବା ଗୁମ୍ମା ଆଞ୍ଚଳିକ ବାହିନୀ, କୋରୁକୋଣ୍ଡା ମାଓ ସଂଗଠନ ଓ ମାଲକାନଗିରି, କୋରାପୁଟ, ବିଶାଖା ପାଟଣା ମାଓ ସଂଗଠନ ମିଳିତ ଭାବେ ଏହି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ରଣକୌଶଳ ଆରମ୍ଭ କରିଛନ୍ତି । ସ୍ଥାନୀୟ ଆଦିବାସୀଙ୍କୁ ଢାଲ କରି ପୁଲିସ ବିରୋଧରେ ପ୍ରଜାମେଳି କରି ପ୍ରଶାସନ ଓ ଲୋକଙ୍କୁ ମତାଉଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ମାଓବାଦୀ ସଂଗଠନର ଏହି କାର୍ଯ୍ୟକଳାପ ମୁଣ୍ଡବ୍ୟଥାର କାରଣ ସାଜିଛି । ତେଣୁ ସଂଗଠନକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆନ୍ଧ୍ର ଓ ଓଡ଼ିଶା ସରକାର । ପ୍ରଥମାର୍ଦ୍ଧ ଆଗାମୀ ଡିସେମ୍ବରରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓ ସଙ୍ଗଠନକୁ ନିଶାଣ କରାଯାଇଛି । ବଛାବଛା ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯାଇଛି । ସ୍ବତନ୍ତ୍ର ଭାବେ ଏକ କାର୍ଯ୍ୟାଳୟ ଖୋଲାଯାଇ ଅତ୍ୟାଧୁନିକ ସାଟେଲାଇଟ, କ୍ୟାମେରା, ଅସ୍ତ୍ରଶସ୍ତ୍ର, ବଛାବଛା ୨ ହଜାର ଯବାନଙ୍କୁ ଉଭୟ ରାଜ୍ୟର ଏହି ଅଭିଯାନରେ ସାମିଲ କରାଯିବ ବୋଲି ନାମ ଗୋପନ ରଖି ଜଣେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି ।
ଅନୁରୂପ ଭାବେ ମାଲକାନଗିରି ଚିତ୍ରକୋଣ୍ଡା ଜାନବାଇ ଠାରୁ ଆନ୍ଧ୍ରପ୍ରଦେଶ ଚିନ୍ତାପାଲିକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ମାଓବାଦୀ ଏଠାରେ ବାଧକ ସାଜିଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଚିତ୍ରକୋଣ୍ଡାରୁ ବିଶାଖାପାଟଣା ରାସ୍ତା ମାତ୍ର ୧୮୦ କିଲୋମିଟର ମଧ୍ୟରେ ସୀମିତ ରହିବ । ତେଣୁ ସୀମାନ୍ତ ରାସ୍ତା ନିର୍ମାଣ ସହ ଏହି ଅଞ୍ଚଳରେ ପେଦାରେଉ ନଦୀରେ ପୋଲ ନିର୍ମାଣ ପାଇଁ ସ୍ବତନ୍ତ୍ର ଅନୁଦାନ ଆସିଥିବାବେଳେ ବର୍ଷବର୍ଷ ଧରି ଏଠାରେ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ତେଣୁ ଯବାନମାନେ ସୁରକ୍ଷା ଦେଇ ଏହି ରାସ୍ତା ଓ ପୋଲ ନିର୍ମାଣ କରିବେ ବୋଲି ସୂଚନା ମିଳିଛି । ତେବେ ଉଭୟ ରାଜ୍ୟର ଏହି ମାଓ ଦମନ ପ୍ରକ୍ରିୟା ଆଗାମୀ ଦିନରେ କେତେଦୂର କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।