ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ
ଧର୍ମଶାଳା – ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ ରାଉତରାପୁର ପଂଚାୟତର ସରପଂଚଙ୍କ ବିରୋଦ୍ଧରେ ଆଗତ ହୋଇଥିବା ଅନାସ୍ତା ପ୍ରସ୍ତାବ ଘଟଣାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜିର ଦିନରେ ଆଲୋଚନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକ ବସିବାକୁ ପତ୍ର ସଂଖ୍ୟ ୧୨୮୩ରେ ନିର୍ଦ୍ଧେଶ ଦିଆଯାଇଥିଲା । ଫଳରେ ଏହି ପଂଚାୟତରେ ଏବେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଥିଲା । ସୂଚନା ଅନୁଯାୟୀ ଏହି ପଂଚାୟତରେ ସରପଂଚ ରେଣୁ ସେଠୀ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନ କରିବା ସହିତ ନିଜ ଇଚ୍ଛା ମୁତାବକ କାର୍ଯ୍ୟକରୁଥିବା ନେଇ ପଂଚାୟତର ୯ ଜଣ ୱାର୍ଡ ସଭ୍ୟସଭ୍ୟାମାନେ ସେପ୍ଟେମ୍ବର ମାସରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତି କରି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସବିଶେଷ ଆଲୋଚନା ନିମନ୍ତେ ସ୍ୱତନ୍ତ୍ର ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଉତରାପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଉତରାପୁର ସରପଂଚ ରେଣୁ ସେଠୀଙ୍କ ସମେତ ୧୩ ଜଣ ୱାର୍ଡ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ । ଆଲୋଚନା ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ତଥା ରସୁଲପୁର ବିଡିଓ ଜ୍ୟୋତିକାନ୍ତ ଭୂଜବଳ,ଏବିଡିଓ ଅସିତ କୁମାର ପାତ୍ର,ଜିପିଓ ଦିବ୍ୟକାନ୍ତ ମିଶ୍ର ଓ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଉପସ୍ଥିତିରେ ସମସ୍ତ ସଭ୍ୟସଭ୍ୟାମାନେ ମତଦାନ କରିଥିଲେ । ହେଲେ ଭୋଟ ଗଣତି ଫଳାଫଳ ଘୋଷିତ ହୋଇପାରି ନ ଥିଲା । ୨୪ା୧୦ା୨୦୧୯ ମସିହାରେ ସରପଂଚ ରେଣୁ ସେଠୀ ଏହି ଘଟଣାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ନିର୍ବାଚନ ହେବେ ହେଲେ ଫଳାଫଳ ଘୋଷିତ ହୋଇପାରିବା ନାହିଁ ବୋଲି କେସ ନଂ ୨୦୧୫୧ରେ ଯାଜପୁର ଉପ-ଜିଲାପାଳ,ରସୁଲପୁର ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଯାହାକୁ ନେଇ ଆଜିର ଦିନରେ ନିର୍ବାଚନ ହୋଇଥିଲେ ମଧ୍ୟ ଫଳଫଳ ସ୍ଥଗିତ ରଖାଗଲା ଏବଂ ହାଇକୋର୍ଟ ଯାହା ନିର୍ଦ୍ଧେଶ ଦେବେ ତାହା ଆମେ କାର୍ଯ୍ୟ କରିବୁ ବୋଲି ନିର୍ବାଚନ ଅଧିକାରୀ ତଥା ତହସିଲଦାର ଶ୍ରୀ ଭୂଜବଳ ପ୍ରକାଶ କରିଛନ୍ତି ।