-
ଆଜି ଆଉଜଣେ ଯୁବକର ମୃତୁ୍ୟ
ପାଟନା, ବିହାରରେ ବିଷାକ୍ତ ମଦ ପିଇ ମୃତୁ୍ୟ ସଂଖ୍ୟା ୮ରେ ପହଂଚିଛି । ଏହି ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ସମସ୍ତୀପୁରରେ ଶୁକ୍ରବାର ଦିନ ଏକ ଯୁବକର ସନ୍ଦିଗ୍ଧ ପରିସ୍ଥିତିରେ ମୃତୁ୍ୟ ହୋଇଛି । ଯାହାର କାରଣ ବିଷାକ୍ତ ମଦ ବୋଲି କୁହାଯାଉଛି । ଏହାପରେ ଜିଲ୍ଲାରେ ମୃତୁ୍ୟସଂଖ୍ୟା ଆଠରେ ପହଂଚିଛି । ଆଉଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି । ତାଙ୍କୁ ସମସ୍ତୀପୁର ସଦର ହସ୍ପିଟାଲରେ ଭର୍ତି କରାଯାଇଛି । ଏହାପୂର୍ବରୁ ଜିଲ୍ଲାରେ ସାତଜଣଙ୍କ ବିଷାକ୍ତ ମଦ ପିଇବାରୁ ମୃତୁ୍ୟ ହୋଇସାରିଛି । ମୃତଙ୍କ ପରିଚୟ ସରାୟରଞ୍ଜନ ଥାନା କ୍ଷେତ୍ରର ନରଘୋଘୀ ଟୋଲ ଖୈରବନ ନିବାସୀ ଗାଙ୍ଗୋ ଦାସଙ୍କ ପୁଅ ଚନ୍ଦନ କୁମାର ବୋଲି ଜଣାଯାଇଛି । ତାଙ୍କ ସାଥୀ ପଙ୍କଜ କୁମାରଙ୍କ ଚିକିତ୍ସା ସଦର ହସ୍ପିଟାଲରେ କରାଯାଉଛି । ତାଙ୍କ ପିତା ଗାଙ୍ଗୋ ଦାସ କହିଛନ୍ତି ଯେ ଛଠ ପୂଜାର ସନ୍ଧ୍ୟା ଅର୍ଘ୍ୟ ଦିନ ୧୦ ନଭେମ୍ବର ସନ୍ଧ୍ୟାରେ ସେ ନିଜ ସାଙ୍ଗ ପଙ୍କଜ ଏବଂ ଗଙ୍ଗାରାମଙ୍କ ସହ ମଦ ପିଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି ଏବଂ ମୃତୁ୍ୟ ହୋଇଛି । ଘଟଣା ପରେ ସମ୍ପର୍କୀୟ କାନ୍ଦି କାନ୍ଦି ଅଧର୍ଯ୍ୟ ହୋଇଛନ୍ତି । ଯୁବକଙ୍କ ମୃତୁ୍ୟ ପରେ ଏବେ ପର୍ଯ୍ୟନ୍ତ ପୋଲିସ୍ ଓ ପ୍ରଶାସନ ନପହଂଚିବାର ଗ୍ରାମବାସୀଙ୍କ ଆକ୍ରୋଶ ହୋଇଛି ।