-
ବରଗଡ ହାଜତ ମୃତ୍ୟୁ
ଭୁବନେଶ୍ୱର, ବରଗଡ ଜିଲ୍ଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କୁ ଗୋଟିଏ ଘଟଣାର ସାକ୍ଷୀ ଭାବେ ତାଙ୍କୁ ଆଣି ହାଜତରେ ରଖିଥିବାବେଳେ ପୋଲିସର ମାଡରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଗୋବିନ୍ଦଙ୍କ ବିଧବା ପତ୍ନୀ ରୁବି କୁମ୍ଭାରଙ୍କ ଏତଲାକୁ ଗ୍ରହଣ ନକରି ଫେରାଇ ଦେଇଥିଲା ପୋଲିସ୍ । ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥରଲେ ହେଁ ନ୍ୟାୟ ପାଇବା ଆଶାରେ ରୁବି କୁମ୍ଭାର ଲଢେଇ ଜାରୀ ରଖିଛନ୍ତି । ରୁବି କୁମ୍ଭାର ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଦାବୀ ମଧ୍ୟ କରିଛନ୍ତି । ଦଳିତ, ଗରୀବ ଓ ବିଧବା ରୁବି କୁମ୍ଭାର ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି । ପୋଲିସ କିମ୍ବା ପ୍ରଶାସନ ରୁବିଙ୍କ ଦାବୀକୁ ବାରମ୍ବାର ଅଣଦେଖା କରିବାରୁ ସେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ ଅବସରରେ ଦେଖା କରି ନ୍ୟାୟ ଭିକ୍ଷା ପାଇଁ ଅନୁରୋଧ କରିବାକୁ ନିଷ୍ପତି ନେଇଥିଲେ । ମାତ୍ର ହାଜତ ମୃତ୍ୟୁ ପ୍ରସଙ୍ଗରେ ଚୁପ୍ ରହିବା ପାଇଁ ଜିଲ୍ଲା ଏସପି ତାଙ୍କୁ ପ୍ରବର୍ତାଉଥିବାର ରୁବି କୁମ୍ଭାରଙ୍କ ସଂଗୀନ ଅଭିଯୋଗ ଆଜି ପୁଣି ପୋଲିସର ବିଶ୍ୱସନୀୟତା ଉପରେ ସିଧାସଳଖ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସପି ରୁବିଙ୍କୁ ଅର୍ଥ, ଚାକିରୀ ଓ ପିଲାମାନଙ୍କ ପାଠପଢାର ପ୍ରଲୋଭନ ଦେଇ ଚୁପ୍ ରହିବାକୁ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।ଗୋବିନ୍ଦ କୁମ୍ଭାରଙ୍କ ବିଧବା ପତ୍ନୀ ରୁବି କୁମ୍ଭାରଙ୍କୁ ନ୍ୟାୟ ପ୍ରଦାନ କରିବେ ନା ଏସପିଙ୍କୁ ପୁରଷ୍କୃତ କରିବେ, ତାହା ମୁଖ୍ୟମନ୍ତ୍ରୀ ଆସନ୍ତା କାଲିର ବରଗଡ ଜିଲ୍ଲା ଗସ୍ତ ପୂର୍ବରୁ ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।