ବଲାଙ୍ଗିର,ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟ ହୁଲସ୍ତୁଲ ହେଉଛି । ନିର୍ମଳ ଭାବମୁର୍ତ୍ତିର ଦ୍ୱାହି ଦେଉଥିବା ନବୀନ ପଟ୍ଟନାୟକ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହମନ୍ତ୍ରୀଙ୍କୁ ବହିଷ୍କାର କରିବା କିମ୍ବା ଇସ୍ତଫା ମାଗିବାରେ ପଛଘୁଞ୍ଚା ଦେବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ଏଥିରେ କେବଳ ଗୃହମନ୍ତ୍ରୀ ନୁହେଁ ଅନେକ ବଡ ବଡ ନେତା ଘଟଣାରେ ଜଡ଼ିତ ଅଛନ୍ତି । ଏହି ଘଟଣାରେ ସରକାରଙ୍କ ନିରବତା ଯୋଗୁଁ ଆଜିି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଏହି ଅଦ୍ଭୁତପୂର୍ବ ବନ୍ଦ ଡାକରା ଶାନ୍ତିପୁର୍ଣ୍ଣ ଭାବେ ସଫଳତା ପାଇଥିବାରୁ ସ୍ପଷ୍ଟ ଜଣାପଡୁଛି ଯେ ମମିତା ହତ୍ୟାକାଣ୍ଡ ସାରା ରାଜ୍ୟର ଆବାଳ ବୃଦ୍ଧ ବନିତାଙ୍କ ମନରେ ଘୋର ଆଘାତ ଦେଇଛି ବୋଲି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି । ସେ ଏହି ବିବୃତ୍ତି ମାଧ୍ୟମରେ ଜିଲ୍ଲାରେ ଲୋକେ ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।