-
ଦିବ୍ୟଶଙ୍କର ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ
ବଲାଙ୍ଗିର, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀ ପଦରୁ ବହିଷ୍କାର ଦାବୀରେ ଆଜି ପ୍ରଦେଶ କଂଗ୍ରେସ କମିଟି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି । ସେହି କ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ବଲାଙ୍ଗିର ସହରରେ ଦୋକାନ ବଜାର ଗାଡି ମୋଟର ଚଳାଚଳ ବନ୍ଦ ରହିଥିବା ପରିଲକ୍ଷିତ ହୋଇଛି । ହେଲେ ଅଟୋ ଛୋଟମୋଟ ଗାଡି ଚଳାଚଳ ହେବା ସଙ୍ଗେସଙ୍ଗେ ସରକାରୀ ବସ ଗୁଡିକ ଅଳ୍ପଲୋକ ନେଇ ଚଳାଚଳ ହେଉଥିଲା । ବସ୍ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ, ବଣିକ ସଂଘ, ବାର ଏସୋସିଏସନ ସମେତ ବିଭିନ୍ନ ସାମାଜିକ ସଂଗଠନ ଉକ୍ତ ବନ୍ଦକୁ ସମର୍ଥନ କରିଥିବା ବେଳେ ସହରରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିବା ଜଣାପଡିଛି । ତେବେ ଦିନ ୧୨ଟା ପରେ ଦୋକାନ ବଜାର ଖୋଲିବ ବୋଲି ଅନେକ ଆଶା ପ୍ରକାଶ କରୁଥିଲା ବେଳେ ବଜାର ଆଉ ପ୍ରାୟ ଖୋଲି ନଥିଲା । ମମିତା ମେହେର ହତ୍ୟାକାଣ୍ଡକୁ ଏ ଭିତରେ ୩୦ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଲୋମହର୍ଷଣକାରୀ ଘଟଣାର ବିଭିନ୍ନ ପକ୍ଷ ଏଯାଏଁ ଅଛୁଆଁ ରହିଛି ।
ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତଥା ମାହଲିଙ୍ଗ କଲେଜ ସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଓତଃପ୍ରୋତଃ ବାବେ ଜଡ଼ିତ ଥିବା ନେଇ ବିଭିନ୍ନ ତଥ୍ୟ ସର୍ବସମ୍ମୁଖକୁ ଆସିଛି । ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ନିଜେ ଗୃହରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ତଦନ୍ତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ବିରୋଧୀ ବାରମ୍ବାର ଦିବ୍ୟଶଙ୍କରଙ୍କୁ ତାଙ୍କ ପଦରୁ ବହିଷ୍କାର କରିବା ସହ ଘଟଣାର ଉଚ୍ଚ ତଥା ନିରପେକ୍ଷ ତଦନ୍ତ କରିବା ପାଇଁ ଦାବୀ କରିଆସିଛନ୍ତି । କିନ୍ତୁ, ଆଶ୍ଚର୍ଯ୍ୟର ବିଷୟ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ଘଟଣା ଓ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାର ପ୍ରୟାସ କରୁଥିବା ବେଳେ କଂଗ୍ରେସର ଏହି ଦାବୀକୁ ସାରା ଓଡିଶାବାସୀ ସମର୍ଥନ ଜଣାଇବା ସହ ଲୋକେ ଆଜି ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ଗାଡି ମୋଟର ଚଳାଚଳ ବନ୍ଦ ରଖିଛନ୍ତି । ତେବେ ରାଜ୍ୟ ସରକାର ଯଥାଶୀଘ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ସହ ମମିତାଙ୍କୁ ଉଚିତ ନ୍ୟାୟ ନଦେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର୍ କରିବ ବୋଲି ଚେତାବନୀ ଦେଇଛି ।
ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ବିଭିନ୍ନ କର୍ମକର୍ତା ମାନେ ଆଜି ସକାଳୁ ଏକ ବାଇକ୍ ର୍ୟାଲି କରି ବନ୍ଦ ପାଇଁ ଜନ ସମର୍ଥନ ଲୋଡିଥିଲେ । ପରେ ପରେ ସ୍ଥାନୀୟ କଚେରୀ ଛକ ଠାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିବା ସହ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ମନିଷ ମିଶ୍ର, ରାଜ୍ୟ ସମ୍ପାଦକ ଉମାଶଙ୍କର ପଣ୍ଡା, ଜୁଲୁ ପଟ୍ଟନାୟକ, ସଞ୍ଜୟ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।