-
ଶ୍ରୀରାଧାଙ୍କ ପାଦଦର୍ଶନରୁ ଶ୍ରଦ୍ଧାଳୁ ବଂଚିତ
-
ସାକ୍ଷୀଗୋପୀନାଥଙ୍କ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪
ସାକ୍ଷିଗୋପାଳ, ଆଜି କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଓ ପବିତ୍ର ଅଁଳା ନବମୀ । ଏହି ବିଶେଷ ତିଥିରେ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ମା ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ପାଦଦର୍ଶନ ପାଇଁ ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପୀନାଥଙ୍କ ପୀଠକୁ ଛୁଟି ଆସିଥାନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ଏହି ପବିତ୍ର ତିଥିରେ ଠାକୁର ଦର୍ଶନ ସାଙ୍ଗକୁ ବେଢ଼ା ପରିକ୍ରମା ଓ ମନ୍ଦିର ବେଢ଼ାରେ ଥିବା ଅଁଳା ବୃକ୍ଷ ମୂଳେ ପୂଜାର୍ଚ୍ଚନା କଲେ ଅଶେଷ ପୂର୍ଣ୍ଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସମାଗମ ଉପରେ ରୋକ୍ ଲଗାଇଛି ପ୍ରଶାସନ । ଆଜି ଭୋର୍ ୪ଟାରୁ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ଫଳରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ରାଧାଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନରୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ସୂଚନା ପ୍ରକାରେ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଅନୁରୂପ ଭାବେ ୧୫ ତାରିଖ ବଡ଼ ଏକାଦଶୀ ଦିନ ମଧ୍ୟ ସମାନ କଟକଣା ରହିବ । ଏହି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ମନ୍ଦିର ପ୍ରବେଶର ଅନୁମତି ରହିଛି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ସାକ୍ଷୀଗୋପୀନାଥଙ୍କ ପୂଜାର୍ଚ୍ଚନା ସହ ସମସ୍ତ ନୀତିକାନ୍ତି ଜାରୀ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଏହି ଅବସରରେ ସାକ୍ଷୀଗୋପୀନାଥଙ୍କୁ ନଟବର ବେଶରେ ଓ ଶ୍ରୀ ରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ଶ୍ରୀକୃଷ୍ଣଙ୍କୁ ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ବଂଶୀ, କୁଣ୍ଡଳ, ହୀରା ମୁଦି ଆଦି ଆଭୂଷଣ ଲାଗି ହୋଇଛନ୍ତି । ସେହିପରି ଶ୍ରୀ ରାଧାଙ୍କୁ ସୁବର୍ଣ୍ଣ କିରଟୀ, ପାଉଁଜି, ଗୁଣା, ଚନ୍ଦ୍ରହାର, ଶିକୁଳି, ଖଡ଼ୁ, ନୋଥ ଏବଂ ଅଁଳା ମାଳ, ପୋହଳା ମାଳ ଆଦି ଆଭୂଷଣରେ ସଜ୍ଜିତ କରାଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ, ମାଙ୍କ ପାଦପଦ୍ମ ବର୍ଷସାରା ଆବୃତ ରହିଥାଏ । ଆଜିର ଏହି ବିଶେଷ ତିଥିରେ ମାଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ଭକ୍ତଙ୍କୁ ପାଦ ଦର୍ଶନର ସୌଭାଗ୍ୟ ମିଳିଥାଏ । କିନ୍ତୁ ପ୍ରଶାସନର ୧୪୪ କଟକଣା ପାଇଁ ଦର୍ଶନରୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ । କେତେକ ଭକ୍ତ ଦୂରରୁ ନୀଳଚକ୍ର ଓ ପତିତପାବନ ବାନାର ଦର୍ଶନ କରି ନିରାଶ ମନରେ ଫେରୁଥିବା ଦେଖିବାକୁ ମିଳିଛି ।ଆଜିର ଏହି ବିଶେଷ ନୀତିକାନ୍ତି ପାଇଁ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା, ଭୋର୍ ସାଢ଼େ ୪ଟାରେ ମଙ୍ଗଳଆଳତୀ, ୫ଟାରେ ମର୍ଦ୍ଦନ ଅବକାଶ, ସକାଳ ସାଢ଼େ ୬ଟା ସୁଦ୍ଧା ସାକ୍ଷୀଗୋପୀନାଥଙ୍କୁ ନଟବର ବେଶରେ ଓ ଶ୍ରୀ ରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା । ଏହାପରେ ସାଢ଼େ ୭ଟାରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସକାଳ ୮ଟା ୩୦ ରେ ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ମଦମୋହନଙ୍କ ଭୋଗ ହୋଇଥିଲା । ସେହିପରି ଅପରାହ୍ନ ୫ଟାରେ ବୀରକେଶରୀ ବଲ୍ଲଭ, ଦ୍ୱିପ୍ରହର ଧୂପ ଶେଷ ହେବ । ଏହା ବ୍ୟତୀତ ସଂନ୍ଧ୍ୟା ୫ଟା ୧୫ ମିନିଟ୍ ରେ ସଂନ୍ଧ୍ୟା ଆଳତୀ, ସାଢ଼େ ୫ଟାରେ ଗୋଧନ ବାହୁଡ଼ା ଭୋଗ, ସଂନ୍ଧ୍ୟା ୬ଟା ସଂନ୍ଧ୍ୟାଧୂପ ବେଶ, ରାତି ସାଢ଼େ ୭ଟାରେ ସଂନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହେବ । ରାତି ୮ଟାରେ ମଦନମୋହନଙ୍କ ଭୋଗ ଏହାପରେ ବଡ଼ସିଂହାର ବେଶ, ବଡସିଂହାର ଭୋଗ, ପୁଷ୍ପାଞ୍ଜଳି ଓ ରାତି ୧୦ଟାରେ ପହୁଡ଼ ପଡିବ ବୋଲି ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ସମ୍ପାଦକ ବିଜୟ କୁମାର ନନ୍ଦ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।