ଭୁବନେଶ୍ୱର,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୪ ମସିହା ଅକ୍ଟୋବର ୨ ତାରିଖ ଦିନ ଏହି ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ । ସମଗ୍ର ଦେଶରେ ସ୍ୱଚ୍ଛଭାରତ ଅଭିଯାନ ପାଇଁ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ପ୍ରାରମ୍ଭରୁ ଯୋଗାଇ ଆସୁଛନ୍ତି । ବିଶେଷ ଭାବେ ପ୍ରତିଟି ଘରେ ଶୈାଚାଳୟ ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଉଛି । ବାହ୍ୟ ମଳମୁକ୍ତ, ନିର୍ମଳ ପରିବେଶ ପ୍ରତିଷ୍ଟା, ମହାପୁରୁଷଙ୍କ ପ୍ରତିମୂର୍ତୀର ସଫେଇ ଆଦି କାର୍ଯ୍ୟକୁ ସର୍ବବ୍ୟାପୀ କରିବା ପାଇଁ ବିଜେପି ସ୍ୱଚ୍ଛଭାରତ ପ୍ରକୋଷ୍ଠ ତରଫରୁ ସବୁବେଳେ କାର୍ଯ୍ୟ ଜାରୀ ରହିଥାଏ । ବିଜେପି ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ମହେଶ ମହାନ୍ତିଙ୍କ ଆବାହକତ୍ୱରେ ଆଜି ରାଜ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ଜିଲ୍ଲା ସଂଯୋଜକମାନେ ଯୋଗ ଦେଇଥିଲେ । ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱଚ୍ଛ ଭାରତ ଅନ୍ତର୍ଗତ ଶୌଚାଳୟ ନିର୍ମାଣ ପାଇଁ ଓଡିଶା ରାଜ୍ୟକୁ ଆସିଥିବା ଅନୁଦାନକୁ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ମିଳିତ ଭାବେ ବାଟମାରଣା କରି ପ୍ରକୃତ ହିତାଧିକାରୀଙ୍କୁ ବଂଚିତ ରଖିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ କରିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଓଡିଶାର ଯେଉଁ ଯେଉଁ ସ୍ଥାନକୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିବେ; ସେହି ସ୍ଥାନକୁ ଗୋବର ପାଣିରେ ସଫେଇ ଅଭିଯାନ ହେବାର ନିଷ୍ପତି ହେବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଛ ଭାରତ ଅନ୍ତର୍ଗତ ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ବ୍ୟାପକ ଅର୍ଥକୁ ଯେଉଁ ବାଟମାରଣା କରାଯାଇଛି ତାକୁ ନେଇ ଭାରତୀୟ ଜନତାପାର୍ଟି ଆନ୍ଦୋଳନ କରିବା ସହ ନେତୃତ୍ୱର ବିକାଶ ସହିତ ସମସ୍ତଙ୍କୁ ଯୋଡିବା “ସେବା ହିଁ ସଂଗଠନ” ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ବିଜେପି ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା କମିଟି ଗଠନ ଆସନ୍ତା ନଭେମ୍ବର ୩୦ ମଧ୍ୟରେ ସାରିବା ଓ ସ୍ୱଚ୍ଛଭାରତର ଜିଲ୍ଲା ବୈଠକ ଡିସେମ୍ବର ୨୦ ମଧ୍ୟରେ ସାରି ଆଗାମୀ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବାକୁ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କର ପରିଚୟ ସ୍ୱଚ୍ଛଭାରତ ଅଭିଯାନ ବିଜେପି ରାଜ୍ୟ ସହ ସଂଯୋଜକ ମହେଶ ମିଶ୍ର କରିଥିଲେ ।