
କେନ୍ଦୁଝର, କେନ୍ଦୁଝରର ଜିଲ୍ଲାରୁ ଖଣିଜ ପଥର ପରିବହନ ରେଳ ଓ ରାସ୍ତା ପଥରେ କେତେ ଅନୁପାତରେ କରାଯିବ ସେ ନେଇ ସରକାର ଏକ ନିଦ୍ଦିଷ୍ଟ ନିଷ୍ପତି ନେବା ପାଇଁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ଅନୁରୋଧ କରାଯାଇଛି । ଟ୍ରକ ଓ ରେଳ ୱାଗନରେ କେଉଁ ଅନୁପାତରେ ମାଲ ପରିବହନ ହେବ ସେ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ , କେନ୍ଦୁଝର ଜିଲ୍ଲାରେ ବ୍ୟାଙ୍କ ସହଯୋଗରେ ଟ୍ରକ ବ୍ୟବସାୟ କରି ବହୁ ଶିକ୍ଷିତ ବେକାର ଯୁବକ ଙ୍କ ସହ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି ବିଶେଷ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବରେ ପରିବାର ପତିପୋଷଣ କରି ଆସୁଛନ୍ତି । ସେହିପରି ୨୦୧୨ ମସିହାରେ ରାସ୍ତା ପଥରେ ଲୁହାପଥର ପରିବହନ ୫୦ ପ୍ରତିଶତରୁ କମ୍ ହେବ ନାହିଁ ବୋଲି ଏକ ନିୟମ କରାଯାଇଥିଲା । ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ଏହି ପଦକ୍ଷେପ ଖଣି ବିଭାଗ ପକ୍ଷରୁ ନିଆଯାଇଥିଲା । ଟ୍ରକରେ ଲୁହାପଥର ପରିବହନ ଯୋଗୁଁ ରାଜ୍ୟ ସରକାର ଅଧିକ ଟିକସ ପାଉଥିଲେ । ରେଳରେ ପରିବହନ ଯୋଗୁଁ ରାଜ୍ୟ ସରକାରଙ୍କ ରାଜସ୍ୱହାନୀ ଘଟୁଛି । ଏଣୁ ସରକାର ଲୋକଙ୍କ ସ୍ୱାର୍ଥ ପାଇଁ ଟ୍ରକରେ ଅଧିକ ଲୁହାପଥର ପରିବହନକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଜରୁରୀ ଅଟେ । ନଚେତ ଋଣ କରି ଟ୍ରକ ବ୍ୟବସାୟ କରୁଥିବା ମାଲିକମାନେ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏବଂ ଏହାର ସମାଧାନ ନହେଲେ ଆଗାମି ଦିନରେ ବିବାଦ ଦେଖାଦେବା ସମ୍ଭବନା ରହିଛି ବୋଲି ସେମାନେ କହିଥିଲେ । ସରକାର ଏ ନେଇ ଉପଯୁକ୍ତ ପଦକ୍ଷେପ ନେଇ ଟ୍ରକରେ ଅଧିକ ଲୁହାପଥର ପରିବହନ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କରଙ୍କ ନେତୃତ୍ୱରେ ଉପସଭାପତିି ଦିଲ୍ଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସଞ୍ଜୟ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦାବୀପତ୍ର ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ସଦର ବିଧାୟକ ମୋହନ ଚରଣ ମାଝୀ ଙ୍କୁ ମଧ୍ୟ ପୃଥକ ପୃଥକ ଭାବେ ଦାବୀପତ୍ର ଦେଇଛନ୍ତି ।