-
୧୬ରେ ପୂରୀ ପୌର ସଂସ୍ଥା ସମ୍ମୁଖରେ ଗଣ ସତ୍ୟାଗ୍ରହ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସହରବାସୀଙ୍କ ଠାରୁ ପୌର ସଂସ୍ଥାର ପରିମଳ ଟିକସ ( ୟୁଜର ଫି )ଆଦାୟ ନିଷ୍ପତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିବେ ୩୫ ସାମାଜିକ ଓ ସାଂସ୍କୃତିକ ସଂଗଠନ। ଚଳିତ ମାସ ୨୩ କିମ୍ବା ୨୪ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୂରୀଗସ୍ତ ସମୟରେ ଦାବୀପତ୍ର ପ୍ରଦାନ କରାଯିବ। ପୂରୀ ସହରରୁ ଅଳିଆ ଆବର୍ଜନା ସଫା କରିବା ପାଇଁ ସହରବାସୀ ପୌର ସଂସ୍ଥାକୁ ପ୍ରତିବର୍ଷ ହୋଲଡିଙ୍ଗ ଟିକସ ଦେଉଥିବାରୁ ଆଉ ୟୁଜର ଫି ଦେବାରେ ଆବଶ୍ୟକତା ନଥିବା ସ୍ଥାନୀୟ ଅଧିବାସୀ ଯୁକ୍ତି ବାଢ଼ିଛନ୍ତି। ଏହାଛଡା ଆଗାମୀ ୧୬ ତାରିଖ ଦିନ ୧୦ ଟାରୁ ୧୨ ଘଟିକା ପୂରୀ ପୌର ସଂସ୍ଥା ସମ୍ମୁଖରେ ସତ୍ୟାଗ୍ରହ କରିବା ପାଇଁ ଆଜି ଅନୁଷ୍ଠିତ ମିଳିତ ବୈଠକରେ ସ୍ଥିର କରାଯାଇଛି। ସତ୍ୟାଗ୍ରହରେ ସାମିଲ ହେବାପାଇଁ ପୁରୀର ବିଭିନ୍ନ ସଙ୍ଗଠନ, ସାହି କମିଟି , ବରିଷ୍ଠ ନାଗରିକ ଏବଂ ଅଧିବାସୀଙ୍କୁ ଅନୁରୋଧ କରାଯାଇଛି।
ଏହାଛଡା ୟୁଜର ଫି ଆଦାୟ ନିଷ୍ପତିକୁ ବିରୋଧ କରି ଆଗାମୀ ଦିନରେ ପୂରୀ ସହରର ସବୁ ଅଞ୍ଚଳରେ ପଥପ୍ରାନ୍ତ ସଭା ଆୟୋଜନ କରାଯିବା ସହ ଦସ୍ତଖତ ସଂଗ୍ରହ କରାଯିବ। ଗତ ଆଠ ତାରିଖ ଦିନ ପୁରୀର ୨୪ ଗୋଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରି ୟୁଜର ଫି ଆଦାୟ ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହି ଦାବି ସପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ପୂରୀ ପୌର ସଂସ୍ଥା ପକ୍ଷରୁ ଏପର୍ଯନ୍ତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଥିଯୋଗୁଁ ମିଳିତ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଭକ୍ତ ସାଲବେଗ ସମାଧି ପୀଠରେ ଆଜି ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ସେଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମଗାଜିବାକୁ ସ୍ଥିର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ୩୫ ସଂଗଠନ ପକ୍ଷରୁ ମିଳିତ ଦାବୀପତ୍ର ପ୍ରଦାନ ପାଇଁ ସ୍ଥିର କରାଯାଇଛି। ଶ୍ରୀ କ୍ଷେତ୍ର ପୁସ୍ତକ ମେଳା କମିଟି ସମ୍ପାଦକ ଚକ୍ରଧର ମହାପାତ୍ର, ଉତ୍କଳ ବିଦ୍ୱତ ପରିଷଦ ସଭାପତି ମନୋଜ କୁମାର ରଥ, ମିଶନ ଓଡ଼ିଶା ସମ୍ପାଦକ ମଧୁସୂଦନ ମିଶ୍ର, କୁମାର ଉତ୍ସବ ସମିତି ସମ୍ପାଦକ ସ୍ବାଧିନ କୁମାର ପଣ୍ଡା, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ସିଟୁ ଜିଲ୍ଲା ସମ୍ପାଦକ ଶରତ ରାଇଗୁରୁ, ଶ୍ରୀ ଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟ ନାରାୟଣ ରଥ, ଦୃଷ୍ଟି ମୁଖ୍ୟ ସମ୍ପାଦକ ନାରାୟଣ ଦାଶ, ଆପଣଙ୍କ ସେବାରେ ଅନୁଷ୍ଠାନର କୃଷ୍ଣ ଚନ୍ଦ୍ର ମିଶ୍ର, ଭଏସ ଅଫ କମନମ୍ୟାନ ଆବାହକ ହେକ୍ଟର ମିଶ୍ର, ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ସଭାପତି ଅମରେନ୍ଦ୍ର ପାଇକରାୟ, ସିଆଇଟିୟୁ ର ଜଗନ୍ନାଥ ଦେଓ, ମିରର ସମ୍ପାଦକ ସଞ୍ଜୟ ପ୍ରଧାନ, ଉର୍ଜବନ୍ ଓଡ଼ିଶା ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହରିକା ତ୍ରିପାଠୀ, ଜିଲ୍ଲା ଯୁବ ଅଧିବକ୍ତା ସଂଘ ସଭାପତି ବିଶ୍ୱଜିତ୍ ପ୍ରଧାନ, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ମନୋରଞ୍ଜନ ମହାରଣା, ତ୍ରିଲୋଚନ ଦାସ, ସମୀର ସାମନ୍ତରାୟ, ଆଇନଜୀବି କାଳି ପ୍ରସାଦ ନାୟକ, ଚିନ୍ମୟ ଦାସ, ଅଙ୍କୁର ମୋହନ ନାଇଡୁ, ରାଜା ମହାନ୍ତି ପ୍ରମୁଖ ଆଜିର ବୈଠକରେ ଯୋଗ ଦେଇଥିଲେ।