-
୩୮୫ ଲିଟର ଦେଶୀ ମଦ, ୬୦୦୦ ଲିଟର ପୋଚ, ୧୧ ଲିଟର ବିୟର ଜବତ
-
ଜଣେ ମହିଳାଙ୍କ ସମେତ ତିନି ଗିରଫ
ଖୋର୍ଦ୍ଧା, ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଓ ବୋଲଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ହଜାର ହଜାର ଲିଟର ପୋଚ, ଦେଶୀ ମଦ, ଗୁଡ଼ ପାଣିକୁ ନଷ୍ଟ କରାଯିବା ସହ ୧୧ ଲିଟର ବିୟର ଜବତ ହୋଇଛି । ଏପରିକି ଚୋରା ମଦ ରନ୍ଧା ଓ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।
ସୂଚନା ମୁତାବକ, ବେଗୁନିଆ ଓ ବୋଲଗଡ ଅଞ୍ଚଳରେ ଚୋରାରେ ଦେଶୀ ମଦ ବ୍ୟାପକ ମାତ୍ରାରେ ବିକ୍ରୀ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା । ଯାହାକୁ ଭିତି କରି ବୁଧବାର ଅବକାରୀ ବିଭାଗ ପକ୍ଷରୁ ବୋଲଗଡ଼ ଅଞ୍ଚଳର ବାକୋଂଇ, ଚୂଡ଼ା ଓ ବେଗୁନିଆ ଅଞ୍ଚଳର ଗଡମାଣତ୍ରି ଓ ସାନପଦର ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ବେପାରୀ ମାନେ ମଦ ପ୍ରସ୍ତୁତି ଓ କାରବାର କରୁଥିବା ସମୟରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ବିଭାଗ ମଦ ରନ୍ଧା ସାମଗ୍ରୀ ସମେତ ୩୮୫ ଲିଟର ଦେଶୀ ମଦ, ୬୦୦୦ ଲିଟର ପୋଚ, ୫୦୦କେଜି ପାଣି ଗୁଡ଼, ୧୧ଲିଟର ବିୟର ଜବତ କରିବା ସହିତ ବଂକୋଇର ଟୁନି ବରାଳ, ସାନ ପଦର ଗାଁର ଶରତ ବେହେରା ଓ ଗଡମାଣତ୍ରି ଗାଁର ପ୍ରଶାନ୍ତ ମାନସିଂହକୁ ଗିରଫ କରାଯାଇଥିବା ଖୋର୍ଦ୍ଧା ଅବକାରୀ ବିଭାଗ ଅଧିକାରୀ ଭୈରବ ସାହୁ ସୂଚନା ଦେଇଛନ୍ତି ।