ବଲାଙ୍ଗିର, ଚଳିତ ବର୍ଷ ନଭେମ୍ବର ୧ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ମିଳିତ ସହଯୋଗରେ ବଲାଙ୍ଗିର ଦିନ୍ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ସୁପାରିଶ କରିଛନ୍ତି । ଏହା ପୂର୍ବରୁ ବଲାଙ୍ଗୀରର ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳଙ୍କ ବଲାଙ୍ଗିର ଦିନ୍ ସଫଳ ଆୟୋଜନ ପାଇଁ ଆନ୍ତରିକତା ପ୍ରଦର୍ଶନ କରିଥିବା ବିଷୟ ସମସ୍ତଙ୍କୁ ଉତ୍ସାହିତ କରିଛି । ଜିଲ୍ଲାପାଳଙ୍କ ସୁପାରିଶ ପରେ ବଲାଙ୍ଗିର ଦିନ ଆୟୋଜକ କମିଟିର ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହି ଅବସରରେ ଗତକାଲି ଆୟୋଜକ କମିଟିର ସଭ୍ୟ ମାନେ ଜିଲ୍ଲାପାଳ ଶ୍ରୀ ରାଣାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ମୁମେଣ୍ଟୋ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କମିଟିର ସଭ୍ୟ ରତନ ମହାରଣା, ପ୍ରଭାକର ମିଶ୍ର, ପ୍ରଭାସ ପାଣିଗ୍ରାହୀ, ଅଙ୍କୁଶ ପାଣ୍ଡିଆ, ପ୍ରଶାନ୍ତ ମହାକୁଡ, ଜୟାକୃଷ୍ନ ମିଶ୍ର ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।