ମାଲକାନଗିରି, ଦୀର୍ଘ ଦିନରୁ ଚାକିରିରେ ସ୍ଥାୟୀତ୍ଵ ତଥା ପଦୋନ୍ନତି ପାଇଁ ଦାବୀ କରି ଆସୁଥିବା ବେଳେ କୌଣସି ସୁଫଳ ମିଳୁନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଶିକ୍ଷକ ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ବିଦ୍ୟାଳୟରେ ୨୦୧୧ ମସିହାରୁ ମନୋଜ କୁମାର ସାମଲ ଶିକ୍ଷକ ପଦବୀରେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସେ ଚିତ୍ରକୋଣ୍ଡା ବ୍ଲକ ଜୋଡାମ୍ବ ପଞ୍ଚାୟତରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଆଜକୁ ପ୍ରାୟ ୧୧ ବର୍ଷ ହେବ ସେ କନିଷ୍ଠ ଶିକ୍ଷକ ରୂପେହିଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାରୀ ନିୟମ ଅନୁଯାୟୀ, ଆଜକୁ ପ୍ରାୟ ୨ ବର୍ଷ ପୂର୍ବେ ସେ ରେଗୁଲାର ତଥା ସ୍ଥାୟୀ ଶିକ୍ଷକ ହେବା କଥା । କିନ୍ତୁ, ନିୟମ ଥିଲେ ବି ସେ ରେଗୁଲାର ଶିକ୍ଷକ ହୋଇ ପାରୁନାହାନ୍ତି । ଏ ସମ୍ବନ୍ଧରେ ସେ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଲେ ସୁଦ୍ଧା କେହିବି କର୍ଣ୍ଣପାତ କରୁ ନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହାର ସମାଧାନ ପାଇଁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେ ଧାରଣା ଆମରଣ ଅନଶନ କରିଥିବା ପ୍ରକାଶ କରିଛନ୍ତି । ଏହି ଘଟଣା ଜିଲ୍ଲା ଶିକ୍ଷା ଅଧିକାରୀ ଜାଣିବା ପରେ ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି ତାଙ୍କୁ ପ୍ରତିଶୃତି ଦେବା ସହ ବୁଝା ସୁଝା କରିବା ପରେ ସେ ଅନଶନରୁ ଓହରି ଥିଲେ ।