ପୁରୀ,ଗତ ୨ ତାରିଖରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମୂଲ୍ୟବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ ଆହ୍ଵାନ କରାଯାଇଥିଲା ଏବଂ ଏହା ସହିତ ନଭେମ୍ବର ୯ ତାରିଖରେ ମୂଲ୍ୟବୃଦ୍ଧି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଥିଲା ।
କିନ୍ତୁ ଇତି ମଧ୍ୟରେ ପେଟ୍ରୋଲ ଓ ଡିଜେଲରେ ଯେଉଁ ମାମୁଲି ଟିକସ ହ୍ରାସ କରାଯିବା ସତ୍ତ୍ଵେ ତାହା ଏବେ ବି ଉଭୟର ଦାମ ଲିଟର ପ୍ରତି ୧୦୦ ଟଙ୍କା ଉପରେ ରହିଛି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ଶୁଳ୍କ କମ୍ କରିଥିବା ଘୋଷଣା କରିଥିଲେ ମଧ୍ୟ ଏବେ ବି ମୁଖ୍ୟ ଖାଇବା ତେଲ ଲିଟର ପ୍ରତି ୨୦୦ ଟଙ୍କାରେ ମିଳୁଛି । ତେଣୁ ସରକାରଙ୍କ ବହୁ ପ୍ରଚାରିତ ଦର ହ୍ରାସ ସାଧାରଣ ଲୋକଙ୍କ ଉପରେ ବୋଝ କମାଇ ନାହିଁ । ରନ୍ଧନ ଗ୍ୟାସର ଦାମରେ ଅହେତୁକ ବୃଦ୍ଧି ପାଇ ତାହା ସିଲିଣ୍ଡର ପ୍ରତି ୧୦୦୦ ଟଙ୍କାରେ ପହଞ୍ଚିଛି । ଏପରି ସ୍ଥଳେ କେନ୍ଦ୍ର ସରକାରଙ୍କ ଦ୍ଵାରା ଉଜ୍ଜ୍ୱଳା ଯୋଜନାରେ ଦିଆ ଯାଇଥିବା ମାଗଣା ଗ୍ୟାସ୍ ଚୁଲ୍ଲା ଏକ କ୍ରୂର ପରିହାସର ବିଷୟ ହୋଇ ଯାଇଛି ।
ଏହା ବ୍ୟତୀତ ଡାଲି ଜାତୀୟ ଦ୍ରବ୍ୟ , ଆଳୁ, ପନିପରିବା ଓ ବିଶେଷ କରି ପିଆଜ ଦର ଚଢା ରହିଛି । ପ୍ରାୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଲୋକଙ୍କର ଅଣ୍ଟା ଭାଙ୍ଗି ଦେଇଛି ।
ଓଡିଶାର ଅଧିକାଂଶ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି । କୋରନା ପ୍ରଥମ ଲହର ଓ ଲକ ଡାଉନ୍ ସମୟରେ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଓଡିଶା ଫେରି ଆସି ରୋଜଗାର ପାଇଁ କୃଷି ଉପରେ ନିର୍ଭର କରୁଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମର ଚାହିଦା ବଢି ପ୍ରାୟ ୨ ଗୁଣ ହୋଇଥିବା ବେଳେ ସେମାନଙ୍କ ପାଇଁ କାମ ଯୋଗାଇ ଦିଆ ଯାଇ ପାରୁନାହିଁ ଓ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ବହୁ ବିଳମ୍ବରେ ମଜୁରୀ ମିଳୁଛି । ଏମିତିରେ ଗତ ଆର୍ଥିକ ବର୍ଷରେ ସାରା ଭାରତରେ ଥିବା ସ୍ଥିତିର ବିପରୀତ ଓଡିଶାର କୃଷିରେ ବିକାଶ ଦର ବିଯୁକ୍ତାତ୍ମକ ହୋଇଛି । କୃଷକଙ୍କ ଠାରୁ ଧାନ କିଣିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣା ଓଟରା ହୋଇଥିଲେ ମଧ୍ୟ , ଏଥିରୁ ଚାଷୀଙ୍କୁ ସୁଫଳ ମିଳିନାହିଁ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନୋୟନ ବିଭାଗ ତରଫରୁ ନିକଟରେ ପ୍ରକାଶ ପାଇଥିବା କୃଷକ ପରିବାରର ସ୍ଥିତି ବିଷୟରେ ଯେଉଁ ଚିତ୍ର ପ୍ରକାଶ ପାଇଛି ତାହା ଅତ୍ୟନ୍ତ ନୈରାଶ୍ୟ ଜନକ । ସେଥିରେ କୁହା ଯାଇଛି ଯେ ଓଡିଶାରେ ଜଣେ ହାରାହାରି ଚାଷୀ ପରିବାରର ଆୟରେ ନିରନ୍ତର ହ୍ରାସ ଦେଖା ଦେଇଛି । ରାଜ୍ୟ ଜନସଂଖ୍ୟାର ବୃହତ୍ ଭାଗ କୃଷକ ଓ କୃଷି ଶ୍ରମିକ ସରକାରଙ୍କ ଠାରୁ ବିଶେଷ ସାହାଯ୍ୟ ଆଶା କରୁଥିବା ବେଳେ , କେନ୍ଦ୍ର ସରକାର ଆସନ୍ତା ମାସଠାରୁ କୋରନା ପାଇଁ ଜାରି ରହିଥିବା ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅତିରିକ୍ତ ଖାଦ୍ୟାନ୍ନ ଯୋଗାଇବା ଅଚାନକ ବନ୍ଦ କରିବାକୁ ଯାଉଛନ୍ତି । ଏହି ସମୟରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରଙ୍କ ତରଫରୁ ଦିଆ ଯାଉଥିବା ଅତିରିକ୍ତ ଖାଦ୍ୟ ସାମଗ୍ରୀ ବଣ୍ଟନକୁ ଆହୁରି ୬ ମାସ ପାଇଁ ବଢାଇ ଦିଆଯାଇଛି । ଆମ ରାଜ୍ୟ ସରକାରଙ୍କ ତରଫରୁ କୋରନା ଜନିତ ଅତିରିକ୍ତ ଖାଦ୍ୟାନ୍ନ ଯୋଜନାର କୈାଣସି ବ୍ୟବସ୍ଥା ନଥିବାରୁ ଆସନ୍ତା ମାସ ଠାରୁ ରାଜ୍ୟରେ କାମ ଓ ଆୟ ହରାଇଥିବା ଲକ୍ଷ ଲକ୍ଷ ପରିବାର ଅନାହାର ମଧ୍ୟକୁ ଠେଲି ହୋଇଯିବେ ।
ରାଜ୍ୟ ସରକାର ଦେଉଥିବା ବାର୍ଦ୍ଧକ୍ୟ ଭତ୍ତା ଅତି ନଗଣ୍ୟ । ବ୍ୟାଙ୍କରେ ରଖିଥିବା ଅବସର କାଳୀନ ଜମା ରାଶିରୁ ଆସୁଥିବା ସୁଧ ଆୟ ଉପରେ ନିର୍ଭର କରୁଥିବା ପରିବାରଙ୍କ ପାଇଁ କ୍ରମାଗତ ସୂଧହାରରେ ହ୍ରାସ ଏକ ଦାରୁଣ ଖବର । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ବ୍ୟାଙ୍କ ସୁଧ ଆୟ ଠାରୁ ବହୁ ଦିନ ଧରି ଅଧିକ ରହି ଆସୁ ଥିବାରୁ ଏଭଳି ପରିବାରଗୁଡିକ ପାଇଁ ଘର ଚଳାଇବା ଦୁର୍ବିସହ ହୋଇ ପଡିଛି ।
ଗତ ୧୨ ମାସ ମଧ୍ୟରେ ରାଜ୍ୟ ସରକାର ଦୁଇ ଦୁଇ ଥର ବିଦ୍ୟୁତ୍ ଦର ବୃଦ୍ଧି କରି ମଧ୍ୟବିତ୍ତ ପରିବାର ଉପରେ କୋରଡା ମାଡ କରିଛନ୍ତି । ଗତ ଏପ୍ରିଲ ମାସରେ ଆମ ପାର୍ଟି ତରଫରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଓ ଦର ହ୍ରାସ ଦାବି କରି ରାଜଧାନୀରେ ୧୦ ଦିନ କାଳ ବିଜୁଳି ସତ୍ୟାଗ୍ରହ କରା ଯାଇଥିଲା । ପାର୍ଟିର ରାଜ୍ୟ ଆବାହକ ଶ୍ରୀ ନିଶି କାନ୍ତ ମହାପାତ୍ର ସେହି ସମୟରେ ୧୦ ଦିନ ଧରି ଅନଶନରେ ବସିଥିଲେ । କୋରନାର ଦ୍ଵିତୀୟ ଲହର ଓ ଲକ ଡାଉନ୍ ଘୋଷଣା ଯୋଗୁଁ ଏହି ସତ୍ୟାଗ୍ରହକୁ ସ୍ଥଗିତ ରଖିବାକୁ ପଡିଥିଲା । ପୁରୀରେ ପ୍ରତ୍ୟେକ ଛକରେ ଦୀର୍ଘ ୩୦ଦିନ ବିଜୁଳି ଆନ୍ଦୋଳନ କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଦାବୀ ପ୍ରତି କର୍ଣ୍ଣପାତ କରି ନାହାନ୍ତି । ବିଦ୍ୟୁତ୍ ମନ୍ତ୍ରୀ ଏକଦା ପ୍ରତିଶ୍ରୁତି ଦେଇଥିଲେ ଯେ ଦର ହ୍ରାସ ସମ୍ପର୍କରେ ସରକାର ବିଦ୍ୟୁତ୍ ନିୟାମକ ସହ ଆଲୋଚନା କରିବେ । ମାତ୍ର ତାହା ପରଠାରୁ ଏ ବିଷୟରେ ମନ୍ତ୍ରୀ ଏକ ପ୍ରବଞ୍ଚନାମୁଳକ ନିରବତା ପାଳନ କରି ଆସୁଛନ୍ତି । ଅଥଚ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସରକାର ବିଦ୍ୟୁତ୍ ବାବଦରେ ବେଦାନ୍ତ ବିଦ୍ୟୁତ୍ ଉତ୍ପାଦନକାରି କମ୍ପାନୀକୁ ବାର୍ଷିକ ୧୨୫୦ କୋଟି ଟଙ୍କା ଛାଡ କରିବାପାଇଁ ରାଜି ହୋଇଛନ୍ତି ଏବଂ ୨୦୧୫ ମସିହାଠାରୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ଵ ଛାଡିଥିବା ରିଲାଏନ୍ସ୍ ଉପରେ ବାକି ପଡିଥିବା ୪୨୩୪ କୋଟି ଟଙ୍କା ଆଦାୟ କରିବା ପାଇଁ ଆଜି ପର୍ଯ୍ୟନ୍ତ ସାମାନ୍ୟତମ ତତ୍ପରତା ଦେଖାଉ ନାହାନ୍ତି ।
ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ବର୍ତ୍ତମାନର ଦର ବୃଦ୍ଧି ଏକ ବିକଟ ସମସ୍ୟା ଠିଆ କରିଛି । ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ କାମ ଧନ୍ଦା ହରାଇଛନ୍ତି, ଅନେକ ଦାଦନ ଶ୍ରମିକ ରାଜ୍ୟକୁ ଫେରିଆସିଥିଲେ ମଧ୍ୟ ସରକାର ସେମାନଙ୍କୁ ରୋଜଗାର ଯୋଗାଇ ପାରି ନାହାଁନ୍ତି । ଘରୋଇ ସଂସ୍ଥାରେ କାମ କରୁଥିବା ଅନେକ ଶ୍ରମିକ କର୍ମଚାରୀ ଚାକିରି ହରାଇଛନ୍ତି ଓ ଆହୁରି ଅନେକ କର୍ମଚାରୀ କମ୍ ଦରମାରେ କାମ କରିବାକୁ ରାଜି ହୋଇଛନ୍ତି । ଏପରି ସମୟରେ ଆମ୍ ଆଦମୀ ପାର୍ଟି ତରଫରୁ ମାନ୍ୟବର ରାଜ୍ୟପାଳ ଓଡ଼ିଶା ଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦରଦାମ କମାଇବା ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନେବା ପାଇଁ ଦାବି କରାଯିବା ସଙ୍ଗେ ନିମ୍ନଲିଖିତ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆ ଯିବା ପାଇଁ ଦାବି ରଖାଯାଉଛି ।ତୁରନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବାଣିଜ୍ୟିକ ରନ୍ଧନ ଗ୍ୟାସ ଆଦି ଉପରେ ଉଭୟ ସରକାର ଟିକସ ହ୍ରାସ କରି ଦର ବୃଦ୍ଧିର ପୂର୍ବାବସ୍ଥାକୁ ଫେରାଇ ଆଣନ୍ତୁ ।
ରାଜ୍ୟ ସରକାର ତୁରନ୍ତ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାରକୁ ମାଗଣା ବିଜୁଳି ଓ ଅନ୍ୟ ବିଜୁଳି ଉପଭୋକ୍ତାଙ୍କ ପାଇଁ ଦର ହ୍ରାସ କରନ୍ତୁ ।
ଭାରତୀୟ ଖାଦ୍ୟ ନିଗମର ବିଭିନ୍ନ ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟାନ୍ନ ରହିଥିବା ବେଳେ ଏପରି ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅତିରିକ୍ତ ଖାଦ୍ୟାନ୍ନ ବଣ୍ଟନ ବନ୍ଦ କରିବାରୁ କ୍ଷାନ୍ତ ହୁଅନ୍ତୁ । ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ଖାଦ୍ୟାନ୍ନ ବଣ୍ଟନର ସୁବିଧା ଚାଲୁ କରନ୍ତୁ ।
ଆଳୁ, ପିଆଜ ଓ ଅନ୍ୟାନ୍ୟ ପନିପରିବା ଦର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ଓ ନିଜସ୍ଵ ଅସ୍ଥାୟୀ ବନ୍ଦୋବସ୍ତ ମାଧ୍ୟମରେ ଉପଭୋକ୍ତାଙ୍କୁ ଉଚିତ୍ ଦରରେ ସେସବୁ ଯୋଗାଇ ଦିଅନ୍ତୁ ।
ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଜମାଖୋରୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଚାଷୀଙ୍କ ଖରିଫ୍ ଫସଲ ପାଇଁ ସାର ଅଭାବ ଦୁର କରିବା ପାଇଁ ଉଭୟ ସରକାର ତୁରନ୍ତ ବିହିତ ପଦକ୍ଷେପ ନିଅନ୍ତୁ ।
ରାଜ୍ୟର ପ୍ରତ୍ୟେକ ଜିଲ୍ଲା କିମ୍ବା ବ୍ଲକରେ ସ୍ଵତନ୍ତ୍ର ସେଲ ଗଠନ କରାଯାଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଉଦ୍ଦିଷ୍ଟ ଶ୍ରମିକମାନଙ୍କୁ କାମ ଓ ମଜୁରୀ ମିଳିବା ଓ ଏହା ପ୍ରଦାନରେ ବିଳମ୍ବ ଦୁର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।
ଉପରୋକ୍ତ ପ୍ରତିବାଦ ସଭା ରେ ଜିଲ୍ଲା ଆବାହକ ଶ୍ରୀ ସଞ୍ଜୀବ ମହାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଇଥିଲା । ଜିଲ୍ଲା ସମ୍ପାଦକ ଶ୍ରୀ ବଶିଷ୍ଠ ରଥ, ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ ଏମ.ଏ ଖାନ୍, , ଜିଲ୍ଲା ସାମାଜିକ ମିଡିଆ ଅଧ୍ୟକ ସତ୍ୟଜିତ ମହାନ୍ତି , ଜିଲ୍ଲା ମିଡିଆ ସଂଯୋଜକ ସମୀର ସାମନ୍ତରାୟ , ଜିଲ୍ଲା ଯୁବ ସଂଗଠକ ରୁଦ୍ର ପଢ଼ିଆରୀ , ସାମାଜିକ କର୍ମୀ ପବିତ୍ର ମୋହନ ଦଳାଇ , ପ୍ରକାଶ ପ୍ରଧାନ ,ଅଭିଷେକ ପାଣିଗ୍ରାହୀ , ପୁରୀ ପୌରପାଳିକା ଅଧ୍ୟକ ଅନିଲ କୁମାର ସେନାପତି ,ରାଜେଶ୍ ପଣ୍ଡା ,ଶିଶିର ପାଢ଼ୀ ,ଦେବ ପଧାନ , ରବି ପ୍ରଧାନ , ପ୍ରକାଶ ଜେନା , ,ପ୍ରଶାନ୍ତ କୁମାର ଜେନା , ଗଙ୍ଗାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।