ସାକ୍ଷୀଗୋପାଳ, ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସଭାଗୃହରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଅନୁଷ୍ଠାନର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖାର ମିଳିତ ଉଦ୍ୟମରେ ଆଜି ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। “ବିଗତ ମାର୍ଚ୍ଚ ୧୨ ତାରିଖରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ଯାଏଁ ୭୫ ସପ୍ତାହ ବ୍ୟାପୀ ‘ ଆଜାଦୀ କି ଅମୃତ ମହୋତ୍ସବ’ ଯାହାକି ଭାରତ ସରକାର ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ କରୁଛନ୍ତି । ‘ଆଇନ ସେବା ସଚେତନତା’ କାର୍ଯ୍ୟକ୍ରମ ସେହି ବ୍ୟାପକ ଗଣ ସଚେତନତା ମହୋତ୍ସବର ଅଙ୍ଗ । ଏହି ଉତ୍ସବ ଆମ ଦେଶର ଅଭୂତପୂର୍ବ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜୀବିତ କରିବା ସହ ପ୍ରଗତିଶୀଳ, ସଂସ୍କୃତି ସଚେତନ, ଆତ୍ମନିର୍ଭର ଓ ଆଇନ ସଚେତନ ନାଗରିକ ସମାଜ ନିର୍ମାଣର ପଥ ପରିଷ୍କାର କରିବ ବୋଲି ଆପଣାର ସଭାପତିୟ ଅଭିଭାଷଣରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରତିକାନ୍ତ ପରିଡ଼ା ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରକାଶ ଚନ୍ଦ୍ର ମହାପାତ୍ର, ଚେୟାରମ୍ୟାନ ପରମାନେଣ୍ଟ ଲୋକଅଦାଲତ, ଦୈନନ୍ଦିନ ଜୀବନ ଜଟିଳରୁ ଜଟିଳତର ହେଉଥିବା ବେଳେ ଆଇନ ସମ୍ପର୍କରେ ଅଜ୍ଞତାକୁ ଆଶୀର୍ବାଦ ମଣିବା ଆତ୍ମଘାତୀ ଓ ତେଣୁ ଆଧୁନିକ ନାଗରିକ ପାଇଁ ଆଇନ ସଚେତନତା ଅତ୍ୟାବଶ୍ୟକ ବୋଲି ମତପୋଷଣ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସିଭିଲ ଜଜ୍ ତଥା ଆଇନ ସେବା ପ୍ରାଧିକରଣର ସଂପାଦକ ଅମରେଶ ମହାପାତ୍ର ଯୋଗଦେଇଥିଲେ । ଶ୍ରୀ ମହାପାତ୍ର ଜାତୀୟ ସେବା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ “ଏକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରଣୀତ ଆଇନ ସମସ୍ତ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ତଥା ଆର୍ଥିକ ବିଷମତାର ଉର୍ଦ୍ଧ୍ବରେ ସମାନ ସୁରକ୍ଷା ପ୍ରଦାନ କରେ । ତେଣୁ କୈାଣସି ନାଗରିକ ନିଜକୁ ଅସହାୟ ବା ଅସୁରକ୍ଷିତ ମଣିବା ଅନୁଚିତ” ବୋଲି ଆଶ୍ୱାସନା ଦେଇଥିଲେ । ନିଜର ବକ୍ତବ୍ୟରେ ମୁଖ୍ୟବକ୍ତା ନିଶୁଳ୍କ ଆଇନ ସେବା ବା ମାଗଣା ଆଇନ ପରାମର୍ଶ ନିମ୍ନ କୋର୍ଟରୁ ଉଚ୍ଚତମ ନ୍ୟାୟାଳୟ ପର୍ଯ୍ୟନ୍ତ କିଭଳି ବିଭିନ୍ନ ବର୍ଗର ଯୋଗ୍ୟ ନାଗରିକ ପାଇଁ ଉପଲବ୍ଧତାର ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଶ୍ରୀ ଜୟନ୍ତ କୁମାର ଜୟସିଂହ, ତହସିଲଦାର, ସତ୍ୟବାଦୀ ‘ ଆଇନ ସଚେତନତା ମଣିଷକୁ ସମର୍ଥ କରେ’ ବୋଲି ମତ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଶ୍ରୀ କ୍ଷିରୋଦ କୁମାର ବେହେରା ବ୍ଲକ ଉନ୍ନୟନ ଅଧିକାରୀ, ସତ୍ୟବାଦୀ ବ୍ଲକ ‘ ଛାତ୍ର ଯୁବକ ଅଧିକାର ସଚେତନ ହେବାସହ କର୍ତ୍ତବ୍ୟ ସଚେତନ ହେଲେ ନିଜକୁ ଶୋଷଣ ଓ ଅତ୍ୟାଚାରରୁ ମୁକ୍ତ ରଖିପାରିବେ ବୋଲି ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଅଧ୍ୟାପିକା ଡ଼ଃ. କଳ୍ପନା କୁମାରୀ ମହାପାତ୍ର ବେଦ ପାଠ କରିଥିଲେ ଓ ୨ ଛାତ୍ରୀ କୁମାରୀ ପ୍ରିୟଦର୍ଶିନୀ ପଣ୍ଡା ଓ ସମର୍ପିତା ବେହେରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପକ ମନୋଜ କୁମାର ପରିଡ଼ା କାର୍ଯ୍ୟକ୍ରମର ସଂଯୋଜନା ଓ ବଡ଼ବାବୁ ରାଜକିଶୋର ପତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ମହାବିଦ୍ୟାଳୟ ଯୁକ୍ତ ୩ କଳା ଛାତ୍ର ନୀଳମଣି ପଣ୍ଡାଙ୍କୁ ସମଗ୍ର ଓଡ଼ିଶାର ୨୭ ଜଣିଆ ଜାତୀୟ ସେବା ଯୋଜନା ଦଳରେ ସାମିଲ୍ ହେଇ ଆସାମର କୋକରାଝର ଠାରେ ଆୟୋଜିତ ହୋଇଥିବା ପ୍ରାକ୍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ କ୍ୟାମ୍ପରେ ଭାଗନେଇଥିବାରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ରତ୍ନାକର ସାହୁ, ଚନ୍ଦ୍ରଶେଖର ତ୍ରିପାଠୀ, ଶଙ୍କର୍ଷଣ ପ୍ରଧାନ ଓ ଯୁବ ରେଡକ୍ରସ୍ ପରାମର୍ଶଦାତା ମନୋଜ ପରିଡ଼ା ଓ ଶ୍ରୀମତୀ ସ୍ଵର୍ଣ୍ଣଲତା ମହାରୀ ପରିଚାଳନା କରିଥିଲେ ।