
ନୂଆପଡା, ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି। ଅମଳ ଆରମ୍ଭ ଦେଖି ମାତିଛନ୍ତି ଛତିଶଗଡ଼ ଦଲାଲ। ବିଭିନ୍ନ ଗାଁ ଗଣ୍ଡା ବୁଲି କମ୍ ଦାମରେ ଧାନ କିଣି ଶୋଷଣ କରୁଛନ୍ତି। ଏପରିକି ଗାଁ ଗଣ୍ଡା ଗୁଡିକରେ ଡେରା ପକାଇଛନ୍ତି। ହେଲେ ପ୍ରଶାସନ ତରଫରୁ ଅଙ୍କୁଶ ନ ଥିବାରୁ ବେଧଡକ ଚୋରାଚାଲାଣ ଚାଲିଛି। ପ୍ରତିଦିନ ହଜାର ହଜାର କୁଇଣ୍ଟାଲ ଧାନ ଛତିଶଗଡ଼ ଚାଲାଣ ହେଉଛି। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ। ଏହି ଅଞ୍ଚଳରେ ବର୍ତ୍ତମାନ ଧାନ ଅମଲ୍ ପ୍ରାୟ ୫୦ ପ୍ରତିଶତ ସରିଯାଇଛି। ଯାହାଫଳରେ ଦଲାଲ ଓ ବେପାରୀ ମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ସେମାନେ ଚାଷୀ ମାନଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ଦରରେ ଧାନ କିଣି ମୁନାଫା ଉଠାଉଛନ୍ତି। ଏହି ବ୍ଲକ ଅଞ୍ଚଳର କେତେକ ଧାନ ବେପାରୀ ଦଲାଲ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏହି ଦଲାଲ ମାନେ ବିଭିନ୍ନ ଗାଁ ବୁଲି କମ୍ ଦରରେ ଧାନ ସଂଗ୍ରହ କରି ଗାଁ ଗଣ୍ଡାରେ ଜମା କରୁଛନ୍ତି। ପରେ ଏହି ଧାନକୁ ବେପାରୀ ମାନେ ପଡୋଶୀ ଛତିଶଗଡ଼ ରାଜ୍ୟର ଦେଭୋଗ ଅଞ୍ଚଳକୁ ଚାଲାଣ କରୁଛନ୍ତି। ଏହି ବେପାରୀ ମାନେ କେତେକ ଦଲାଲଙ୍କୁ ଟଙ୍କା ଦେଇ ଏହି କାମ କରାଉଛନ୍ତି। ଦଲାଲ ମାନେ ଚାଷୀ ମାନଙ୍କ ଠାରୁ ଏ ଗ୍ରେଡ ଧାନ କ୍ଵିଣ୍ଟାଲ ପିଛା ୧୨୦୦ ରୁ ୧୩୦୦ ଟଙ୍କା ଓ ସାଧାରଣ ଧାନ ୧୦୦୦ ରୁ ୧୧୦୦ ଟଙ୍କା ମଧ୍ୟରେ କିଣି ଥିବା ଜଣାପଡ଼ଛି। ଏଠାରେ ସୂଚନା ଯୋଗ୍ୟ ଯେ, ସରକାର ଏ ଗ୍ରେଡ ଧାନ କୁଇଣ୍ଟାଲ ପିଛା ୧୯୬୦ ଟଙ୍କା ଥିବା ବେଳେ ସାଧାରଣ ମାନର ଧାନ ୧୯୪୦ ଟଙ୍କା ରହିଛି। ହେଲେ ଏହି ଧାର୍ଯ୍ୟ ଛତିଶଗଡ଼ ରାଜ୍ୟରେ ମଧ୍ଯ ରହିଛି। କିନ୍ତୁ ଛତିଶଗଡ଼ ରାଜ୍ଯରେ ଚାଷୀ ମାନଙ୍କୁ କ୍ଵିଣ୍ଟାଲ ପିଛା ବୋନସ ଆକାରରେ ୪୦୦ ଟଙ୍କା ରିହାତି ରାଶି ପ୍ରଦାନ କରାଯାଉଛି। ଯାହା ଫଳରେ ବେଶ୍ ମୁନାଫା ଉଠାଇବା ଆଶାରେ ଛତିଶଗଡ଼ି ଦଲାଲ ମାନେ ଏଠାରେ ଡେରା ପକାଇଛନ୍ତି। ସିନାପାଲି ଅଞ୍ଚଳର ଅନେକ ଗଲା ବାଟ ଦେଇ ଅନାୟସରେ ଚୋରା ଚାଲାଣ କରୁଛନ୍ତି। ସିନାପାଲି ବ୍ଲକର କସାଇପାଣି ରାସ୍ତା, କନ୍ଦାମୁଣ୍ଡା ରାସ୍ତା, ନାଗଝର, ଧିଙ୍ଗିଆମୁଣ୍ଡା ରାସ୍ତା, କୁସୁମଯୋର ସୀମାନ୍ତ ରାସ୍ତା, ସନ୍ଧିବାହାଳି ରାସ୍ତା ଦେଇ ଚୋରା ଚାଲାଣ ହେଉଛି। ପ୍ରଶାସନକୁ ହାତ କରି ଏହି କାରବାର ଚାଲୁଥିବା ଵେଳେ ଯୋଗାଣ ବିଭାଗ ଜାଣି ଶୁଣି ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି। ଏଠାରେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା ବେଲେ ଅଧିକାଂଶ ଧାନ ଚୋରାଚାଲାଣ ହୋଇ ସାରିଛି। ତେବେ ପ୍ରଶାସନ ଅଙ୍କୁଶ ନ ଲଗାଇ ପରୋକ୍ଷରେ ସାହାଯ୍ୟ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ। ଏଠାରେ ଚାଷୀ ମାନେ ବହୁ ପରିଶ୍ରମ କରି ଧାର କରଜ କରି ଚାଷ କରିଥାନ୍ତି। କରଜ ଶୁଝିବା ପାଇଁ ତରବରିଆ ଭାବରେ ଦଲାଲ ମାନଙ୍କୁ କମ୍ ଦରରେ ଧାନ ବିକୁଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି। ଅନ୍ୟ ପକ୍ଷରେ ଛତିଶଗଡ଼ ପ୍ରଶାସନ ମଧ୍ଯ ଓଡିଶ ଧାନକୁ ରୋକିବା ପାଇଁ ସୀମାରେ ଫାଟକ ଲଗାଇଛି। ହେଲେ ଅନେକ ଗଳାବାଟ ଦେଇ ଚାଲାଣ ହେଉଛି। ଏ ସଂପର୍କ ରେ ସିନାପାଲି ତହସିଲଦାର ଲୋକନାଥ ଶବରଙ୍କୁ ପଚାରିବାରୁ ଏଦିଗରେ ପଦକ୍ଷେପ ନେବାକୁ ପ୍ରକାଶ କରିଛନ୍ତି।