ମାଲକାନଗିରି ,ଗାଁକୁ ପକ୍କାରାସ୍ତା ନିର୍ମାଣ ନୋହିଲା । ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡାହାଲ ପଞ୍ଚାୟତର ୧୬ ଖଣ୍ଡ ଗାଁର ୫ ହଜାରରୁ ଉର୍ଦ୍ଧ୍ବ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର କହିଲେ ଦୁର୍ଗମ ବଣ , ପାହାଡ ଘେରା ଅଞ୍ଚଳା ବଣ୍ଡାଘାଟିର ମୁଦୁଲିପଡା ପର୍ଯ୍ୟନ୍ତ ଚକାଚକ ପକ୍କା ସଡକ ରହିଛି । ମୁଦୁଲିପଡାଠାରୁ ଆଗକୁ ଆଉ ବିକାଶ ପହଞ୍ଚି ପାରୁନାହିଁ । ରାଜ୍ୟ ସରକାରଙ୍କ ଅନେକ ଯୋଜନା ବଣ୍ଡା ଜନଜାତିଙ୍କଠାରୁ ଶୁଭାରମ୍ଭ କରାଯାଉଛି । ସେହି ବଣ୍ଡା ଜନଜାତି ଆଜି ବି ଗମନାଗମନ ପାଇଁ ବିପଦପୂର୍ଣ୍ଣ ଘାଟି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ବଣ୍ଡାଘାଟିର ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଜି ବି ବଣ୍ଡା ବିକାଶ କୋଷ ଦୂରରେ ରହି ଯାଇଛି । ଘାଟିରେ ଗମନାଗମନ ସୁଦୃଢ କରିବା ପାଇଁ ଖଇରପୁଟରୁ ମୁଦୁଲିପଡା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ହୋଇଛି ସତ କିନ୍ତୁ ମୁଦୁଲିପଡାରୁ ଅଣ୍ଡାହାଲକୁ ରାସ୍ତା ନିର୍ମାଣ କରିବାକୁ ଭୁଲି ଯାଇଛି ବିଭାଗ ଦୀର୍ଘ ବର୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କାର୍ଯ୍ୟ ସରିବାର ନାଁ ନେଉନାହିଁ । ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ଅଣକୁଶଳୀ ଯନ୍ତ୍ରୀଙ୍କ ତଦାରଖରୁ ଆଜି ବିପଦରେ ଅଣ୍ଡାହାଲ ବାସିନ୍ଦା । ଏହି ରାସ୍ତା ମୁଦୁଲିପଡାରୁ ବଣ୍ଡାଘାଟିର ଅଣ୍ଡାହାଲକୁ ଯୋଗାଯୋଗ କରୁଛି । ରାସ୍ତାରେ ମଟରସାଇକଲ ଯିବାର ତ ଦୂରର କଥା ଚାଲିଯିବା ସମ୍ଭବପର ହେଉନାହିଁ ତାହା ମରଣଯନ୍ତା ପାଲଟି ଗଲାଣି । ଦୁର୍ଘଟଣା ଘଟୁଛି । ରାସ୍ତାରେ ଯିବାକୁ ଭୟ ଲାଗୁଛି । ବଣ୍ଡାଘାଟିରେ ମାଓ ଦମନ ଅଭିଯାନ ପାଇଁ ଅଣ୍ଡାହାଲ ଘାଟିରେ ସୀମାସୁରକ୍ଷା ବାହିନୀଙ୍କ ଶିବିର ଅଛି । କିନ୍ତୁ ତଲାସି ପାଇଁ ଏବେ ଘାଟି ବାଧା ସୃଷ୍ଟି କରିଛି । ଏବେ ଅଣ୍ଡାହାଲରେ ମାଓବାଦୀଙ୍କ ଦବଦବା ଧୀରେ ଧୀରେ ଆରମ୍ଭ ହେବାକୁ ଲାଗିଲାଣି ବୋଲି କୁହାଯାଉଛି । ବିପଦପୂର୍ଣ୍ଣ ଘାଟିରାସ୍ତା ପାଇଁ ବିଦ୍ୟାଳୟଗୁଡିକୁ ଯାଉନାହନ୍ତି ଶିକ୍ଷକ ସ୍ବାସ୍ଥ୍ୟସେବା ନ କହିବା ଭଲ । ରୋଗୀଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଅଦ୍ୟାବଧୂ ବଣ୍ଡା ଜନଜାତି ଲୋକେ ପାରମ୍ପରିକ ଭାବ କାଉଡି ଆମ୍ବୁଲାନ୍ସ ଉପରେ ଭରସା କରି ଚଳି ଆସୁଥିବା ଦେଖିବାକୁ ମିଳୁଛି ।