ଭୁବନେଶ୍ୱର, ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ଡିସେମ୍ବର ୧୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୱାର୍ଡ ୱାରୀ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି । ।୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ, ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ । ବାଲେଶ୍ୱର ଜିଲ୍ଲା ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ନଭେମ୍ବର ୧୬ ତାରିଖରେ ସମସ୍ତ ଗ୍ରାମପଂଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ଥିଲେ, ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସର ନିକଟରେ ଦାଖଲ କରଯାଇ ପାରିବ ।
ସେ କହିଛନ୍ତି ଯେ ୨୪ରୁ ୨୬ ତାରିଖ ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡିଓଙ୍କ ପାଖରେ ଦରଖାସ୍ତ ଆବେଦନ କରି ପାରିବେ ।
ସେହିପରି ଡିସେମ୍ବର ୧ରୁ ୨ ତାରିଖ ଭିତରେ ବିଡିଓ ଏହି ଅଭିଯୋଗର ଫଇସଲା କରିବେ । ଡିସେମ୍ବର ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ତାପରେ ଚୂଡାନ୍ତ ଭୋଟର ତାଲିକା କମିସନଙ୍କ ନିକଟରେ ଦାଖଲ ହେବ । ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି ।