
-
୩୦୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେଡ଼ିରେ ଯୋଗଦେଲେ
ସାକ୍ଷିଗୋପାଳ, ସାକ୍ଷିଗୋପାଳ ମନ୍ଦିର ସମ୍ମୁଖରେ ଆଜି ସଂନ୍ଧ୍ୟାରେ ବିଜେଡ଼ି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଜନକଲ୍ୟାଣକାରୀ ଯୋଜନାରେ ବିମୋହିତ ହୋଇ ସେମାନେ ବିଜେଡ଼ିରେ ଯୋଗ ଦେଇଥିବା ସୂଚନା ମିଳିଛି । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳରେ ନୂତନ ଭାବେ ଯୋଗଦେଇଥିବା ଏହି କର୍ମୀ ମାନଙ୍କୁ ସ୍ୱାଗତ କରିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ, ସତ୍ୟବାଦୀ ନିର୍ବାଚନ ମଣ୍ଡଳିରେ ବାକି ରହିଥିବା ରାସନ କାର୍ଡ଼ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅତିଶୀଘ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରାଯିବ ।
ସାଂସଦ ପିନାକୀ ମିଶ୍ର ତାଙ୍କ ଅଭିଭାଷଣରେ ସମଗ୍ର ଅଂଚଳର ବିକାଶ ପାଇଁ ଯାହା ଆବଶ୍ୟକ, ସେ ସମ୍ପର୍କିତ ଦାବି ମୁଁ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବି ବୋଲି ପ୍ରତିଶୃତି ଦେଇଥିଲେ ।
ସେହିପରି ବିଧାୟକ ଶ୍ରୀ ସାମନ୍ତରାୟ ଖୁବ୍ ଶୀଘ୍ର ସାକ୍ଷିଗୋପାଳ ଗେଟ୍ ବଜାର ରେଳ ଓଭର ବ୍ରିଜ୍ କାର୍ଯ୍ୟ ଆରମ୍ଭ କରାଯିବା ସହ ସାକ୍ଷୀଗୋପୀନାଥ ମନ୍ଦିରର ସର୍ବାଙ୍ଗିନ ଉନ୍ନତି, ବକୁଳବନର ପୁନଃଉଦ୍ଧାର, ଅଂଚଳରେ ପର୍ଯ୍ୟଟନର ବିକାଶ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି ଅବସରରେ ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦ, ବିଶ୍ୱନାଥ ମହାପାତ୍ର, ରବିନାରାୟଣ ମହାପାତ୍ର ପ୍ରମୁଖ ବରିଷ୍ଠ ସେବାୟତଙ୍କ ସମେତ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କର୍ମୀ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ୍ ହୋଇଥିଲେ ।