-
ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ
ପୁରୀ, ହେରିଟେଜ ରାଇଡରେ ସାମିଲ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିସହ ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଗଦାଧର ହାଇସ୍କୁଲର ୩୪ ଜଣ ଛାତ୍ରଛାତ୍ରୀ ପ୍ରଥମେ ପୌରସଂସ୍ଥାରେ ପହଞ୍ଚିଥିଲେ ଓ ସେଠାରେ ସେମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଅବଗତ କରାଯାଇଥିଲା । ଏହାପରେ ସେମାନେ ରାଧକାନ୍ତ ମଠ ବୁଲିବା ସହ ସେଠାରେ ସେମାନଙ୍କୁ ଚୈତନ୍ୟଙ୍କ ଭକ୍ତିଯୋଗ ସଂପର୍କରେ ଧାରଣା ଦିଆଯାଇଥିଲା । ଏହାପରେ ସେମାନେ ସିଦ୍ଧବକୁଳ ମଠ, ଶଙ୍କରାଚାର୍ଯ୍ୟ ମଠ, ଜିଆର ସ୍ବାମୀ ମଠ, କରାଳ ଆଶ୍ରମ ଆଦି ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ଓ ଇକୋ ଟ୍ୟୁରିଜିମ ଫାଉଣ୍ତେସନ ସହଯୋଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ରାଉତରାୟ, ଶିକ୍ଷକ ଶ୍ରୀ କାମଦେବ ପ୍ରଧାନ, ବେୟାରଫୁଟ ଅନୁଷ୍ଠନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।