
ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ଅଚଂଳର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଗାଇଡ ଟ୍ରୁପ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଇଡ କ୍ୟାପଟେନ ଉର୍ବଶୀ ସାହୁଙ୍କ ନେତୃତ୍ୱରେ ଗାଇଡ ପିଲାମାନେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପରିସରରେ ସଫେଇ କରିବା ସହିତ ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ କରିବା ସହିତ ସାନିଟାଇଜର ଏବଂ ମାସ୍କ ବଟଂନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ପରିସରକୁ ସଫେଇ କରିବା ସହିତ ସେଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିକୁ ସଫା କରିଥିଲେ ଓ ବ୍ଲକ ପରିସରରେ ବ୍ଲିଚିଂ ପକାଇଥିଲେ । ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ମଧ୍ୟ ଗାଇଡ ପିଲାମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ବ୍ଲିଚିଂ ପକାଯାଇଥିଲା । ତହସିଲ କାର୍ଯ୍ୟାଳୟରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତିକୁ ସଫା କରାଯାଇଥିଲା । ରାମ ମନ୍ଦିର ସମ୍ମୁଖ ପଡିଆକୁ ସଫେଇ କରାଯିବା ସହିତ ନଳକୂପ ଓ ପାଣି ଟ୍ୟାପବେସ ଗୁଡିକୁ ସଫେଇ କରାଯାଇ ବ୍ଲିଚିଂ ପକାଯାଇଥିଲା । ପଟ୍ଟାମୁଣ୍ଡାଇ ନୂତନ ବାଇପାସ ଛକରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ସଫେଇ କରାଯାଇଥିଲା । ବାଳିକା ଉଚ୍ଚବିଦ୍ୟାଳୟ ପରିସରକୁ ମଧ୍ୟ ସଫେଇ କରାଯିବା ସହିତ ନଳକୂପ ଓ ପାଣିଟ୍ୟାପ ଗୁଡିକୁ ବିଶୋଧନ କରାଯାଇଥିଲା । ଅସହାୟ ପିଲା ଓ ବ୍ୟକ୍ତିମାନଙ୍କୁ ଦୀପାବଳୀ ଅବସରରେ ଫଳ, ମିଠାଇ, ମହମବତୀ, ଘିଅ, ଦୀପ, ଭୋଗ ସାମଗ୍ରୀ ସହିତ ଚୁଡା, ବିସ୍କୁଟ, ଡାଲି, ଲୁଗା, ଗାମୁଛା, ସାନିଟାଇଜର ଓ ମାସ୍କ ଆଦି ବଟଂନ କରାଯାଇଥିଲା । ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରେମଲତା ପତିଙ୍କ ତତ୍ୱାବଧାନରେ ୧ ସପ୍ତାହ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।